ଆଜି ମାଘ ସପ୍ତମୀ | ସୂର୍ଯ୍ୟଦେବଙ୍କୁ ରୋଗନାଶକ ବୋଲି ବେଦ, ପୁରାଣରେ ଉଲ୍ଲେଖ ରହିଛି | ତେଣୁ ଶରୀରକୁ ନିରୋଗ ରଖିବା ପାଇଁ ମାଘ ସପ୍ତମୀରେ ପବିତ୍ର ନଦୀ, ତୀର୍ଥସ୍ଥଳୀରେ ବୁଡ଼ ପକାଯାଇଥାଏ | ଏହିଦିନ ପବିତ୍ର ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଦୀପଦାନ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳିଥାଏ | ଆଜି ସୂର୍ଯ୍ୟପୂଜା କରିବା ସହ ବିନା ଲଵଣଯୁକ୍ତ ଖାଦ୍ୟ ଭୋଜନ କଲେ ରୋଗରୁ ମୁକ୍ତି ମିଳିଥାଏ ଏବଂ ଋଣରୁ ମୁକ୍ତି ମିଳିବା ସହ ଅର୍ଥାଭାବ ଦୂର ହୋଇଥାଏ | ଆଜି ଦାନର ମଧ୍ୟ ବିଶେଷ ମହତ୍ୱ ରହିଥାଏ | ଆଜି ଗରିବ, କୁଷ୍ଠରୋଗୀଙ୍କୁ ସାହାଯ୍ୟ, ଦାନ, ଖାଦ୍ୟପେୟ ଦ୍ୱାରା ସନ୍ତୁଷ୍ଟ କରନ୍ତୁ |
ଏହି ମାଘ ସପ୍ତମୀ ମହତ୍ୱକୁ ନେଇ ଏକ ବିଶେଷ ପୌରାଣିକ କଥା ରହିଛି | ପ୍ରାଚୀନକାଳରେ ଇନ୍ଦୁମତୀ ନାମକ ଏକ ବେଶ୍ୟା ଥିଲା | ଇନ୍ଦୁମତୀ ଋଷି ବଶିଷ୍ଠଙ୍କ ପାଖକୁ ଯାଇ କିପରି ପାପରୁ ମୁକ୍ତି ମିଳିବ ଓ ମୋକ୍ଷ ପ୍ରାପ୍ତି କିପରି ତାର ହୋଇପାରିବ ବୋଲି ପ୍ରଶ୍ନ କରିଥିଲା | ଋଷି ଇନ୍ଦୁମତୀକୁ ମାଘ ସପ୍ତମୀ ଦ୍ୱାରା ମୋକ୍ଷ ପ୍ରାପ୍ତିର ମାର୍ଗ ଖୋଲିପାରେ ବୋଲି ଉପଦେଶ ଦେଇଥିଲେ | ମାନବଜାତିର ମୁକ୍ତି, ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଁ ମାଘ ସପ୍ତମୀରେ ପବିତ୍ର ସ୍ନାନ କଲେ ଅଶେଷ ପୁଣ୍ୟ ମିଲିଥାଏ | ଏହି ବ୍ରତ ନିଷ୍ଠାର ସହ କରିବା ଦ୍ୱାରା ଇନ୍ଦୁମତୀ ଦେହତ୍ୟାଗ ପରେ ସ୍ୱର୍ଗଲୋକରେ ସ୍ଥାନ ପାଇଥିଲେ ଏବଂ ସହସ୍ର ଅପସରା ମାନଙ୍କର ନାୟିକା ହୋଇଥିଲେ | ସେହିଦିନ ଠାରୁ ପ୍ରତ୍ୟେକ ନରନାରୀ ମାଘ ସପ୍ତମୀରେ ପବିତ୍ର ସ୍ନାନ କରନ୍ତି | ଏହି ଅଲଭ୍ୟ ସ୍ନାନ ଦ୍ୱାରା ସୂର୍ଯ୍ୟଦେବଙ୍କ କୃପାରୁ ଶରୀର ଆରୋଗ୍ୟ ରହିବା ସହ ମୋକ୍ଷପ୍ରାପ୍ତିର ମାର୍ଗ ପ୍ରଶସ୍ଥ ହୋଇଥାଏ |
କୋଣାର୍କରେ ଆଜି ସୂର୍ଯ୍ୟଦେବଙ୍କ ରଥଯାତ୍ରା ଆୟୋଜିତ ହୋଇଥାଏ | ଆଜି ଅର୍କକ୍ଷେତ୍ରରେ ଶ୍ରୀ ଐସାନେଶ୍ୱର, ଶ୍ରୀ ଦକ୍ଷିଣେଶ୍ୱର ଓ ତ୍ରିବେଣିଶ୍ୱରଙ୍କ ଚଳନ୍ତି ପ୍ରତିମା ପ୍ରଥମେ ସ୍ନାନ କରିବା ପରେ ପବିତ୍ର ବୁଡ଼ ପ୍ରାରମ୍ଭ ହୋଇଥାଏ | ଆଜି ଚନ୍ଦ୍ରଭାଗାରେ ଅଲଭ୍ୟ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଦର୍ଶନ କଲେ ଅକ୍ଷୟ ପୁଣ୍ୟ ମିଳିଥାଏ | ଆଜି ମଧ୍ୟ ଶ୍ରୀ ଲିଙ୍ଗରାଜ ଓ ଲଡ଼ୁବାବାଙ୍କ ମନ୍ଦିରରେ ସପ୍ତମୀ ଯାତ୍ରା ଆୟୋଜିତ ହୋଇଥାଏ | ଆଜି ଠାରୁ ଖଣ୍ଡଗିରିରେ ପୂର୍ଣ୍ଣମୀ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜିତ ହୋଇଥାଏ | ତେଣୁ ଖଣ୍ଡଗିରି ସାଧୁସନ୍ଥଙ୍କର ସମାଗମ ହୋଇଥାଏ | ଆଜି ଖଣ୍ଡଗିରିରେ ଖଣ୍ଡଖିରି ପ୍ରସାଦ ରୂପେ ଭକ୍ତଙ୍କୁ ବଣ୍ଟାଯାଏ | ଗଂଜାମ ଜିଲ୍ଲା କୁମୁଡାରେ ବିରଞ୍ଚିନାରାୟଣ ମନ୍ଦିରରେ ସୂର୍ଯ୍ୟଉପାସନା ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ |

LEAVE A REPLY

Please enter your comment!
Please enter your name here