ଆଜି ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ଗର୍ବ ଓ ଗୌରବ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଯାହାକୁ ଦେଖି ଭାବୁଛନ୍ତି ଏ ହେଉଛି କୋଣାର୍କ ମନ୍ଦିର ବାସ୍ତବରେ ସେ କୋଣାର୍କ ମନ୍ଦିର ନୁହେଁ । ସେ ହେଉଛି ମନ୍ଦିରର ମୁଖଶାଳା ମାତ୍ର ! ବାସ୍ତବିକ କୋଣାର୍କ ମନ୍ଦିର ୧୫୬୮ ମସିହା ପୂର୍ବରୁ ହିଁ କଳାପାହାଡ଼ ଭାଙ୍ଗି ଦେଇଥିଲା । ଆପଣ ଥରେ ଚିନ୍ତା କରନ୍ତୁ ଯଦି ମୁଖଶାଳା ହୋଇ କୋଣାର୍କ ଏତେ ସୁନ୍ଦର ଓ ମନଛୁଆଁ ହେଇ ପାରୁଛି ତେବେ ପ୍ରକୃତ ମନ୍ଦିର କେତେ ସୁନ୍ଦର ନଥିବ !

କୋଣାର୍କ ମନ୍ଦିର ଭାଙ୍ଗିଲା କିଏ ଓ କାହିଁକି ?

କଥାଟି ଆପଣ ନିଶ୍ଚିତ ଶୁଣିଥିବେ- ଆସିଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀର ପାଣି, ସୁବର୍ଣ୍ଣ ଥାଳିରେ ହେଡା ପରଶିଲେ ମୁକୁନ୍ଦ ଦେବଙ୍କ ରାଣୀ ।
କଳାପାହାଡ଼ ର ପ୍ରକୃତ ନାମ ହେଲା ରାଜୀବ ଲୋଚନ ରୟ କିମ୍ବା କଳାଚନ୍ଦ ରୟ ଭଦୁରି ମଧ୍ୟ କୁହାଯାଏ । ସେ ଜଣେ ବଙ୍ଗାଳି ବ୍ରାହ୍ମଣ ଥିଲା ।
ରାଜୀବ ଲୋଚନ ମୋଗଲ ଶାସନ ଅଧିନରେ ଥିବା ବଙ୍ଗର ସୁଲତାନ ସୁଲେମାନ କରଣିଙ୍କ ସେନାମୁଖ୍ୟ ଥିଲା । ସେ ସାହସୀ ସହିତ ପରାକ୍ରମୀ ମଧ୍ୟ ଥିଲା । ଯୋଜନା କରି ସୁଲେମାନ କରଣି ଚୁକ୍ତି ସ୍ୱାକ୍ଷର କରିବା ପାଇଁ ନିଜ ମହଲକୁ ଡାକିଥିଲେ । ମହଲରେ ସୁଲେମାନ୍ ଙ୍କ ଅପୁର୍ବ ସୁନ୍ଦରୀ ଝିଅକୁ ଦେଖି ରାଜୀବ ଲୋଚନ ତାଙ୍କ ଝିଅର ପ୍ରେମରେ ପଡ଼ି ଯାଇଥିଲେ । କୁହାଯାଏ ସୁଲେମାନ୍ ଜାଣିଶୁଣି ତାଙ୍କ ଝିଅ କୁ ଦେଖାଇ ରାଜିବ ଲୋଚନକୁ ପଥଭ୍ରଷ୍ଟ କରିଥିଲେ । କାରଣ ରାଜୀବ ଲୋଚନଙ୍କ ବିନା ବଙ୍ଗଳା ଦେଶରେ ଶାସନ ଆଧିପତ୍ୟ ବିସ୍ତାର କରିବା ସମ୍ଭବ ନଥିଲା । ରାଜକୁମାରୀର ପ୍ରେମରେ ପଡ଼ିବା ପରେ ସୁଲେମାନ କରଣି ତାଙ୍କ ଝିଅକୁ ବାହା ହବାକୁ ହେଲେ ଇସ୍ଲାମ୍ ଧର୍ମ ଆପଣେଇବାକୁ ପଡ଼ିବ ବୋଲି ପ୍ରସ୍ତାବ ବାଢ଼ିଥିଲେ ।

ଏକଥାରେ ରାଜୀବ ଲୋଚନ ମାନି ନଥିଲା, ସେ କହିଥିଲା ମୁଁ ବାହା ହେବି କିନ୍ତୁ ଆପଣଙ୍କ ଝିଅ ହିଁ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହବ । ଏକଥାରେ ସୁଲେମାନ୍ ରାଜି ହବା ପରେ ସୁଲେମାନ୍ ତାଙ୍କ ଝିଅ ଓ ପରିବାର ସହ ବିବାହ ଓ ଝିଅର ଧର୍ମ ପରିବର୍ତ୍ତନ କରିବା ପାଇଁ ଆସି ପୁରୀ ଶ୍ରୀମନ୍ଦିର ପହଞ୍ଚି ଥିଲେ । ପୁରୀ ରେ ପହଞ୍ଚିବା ପରେ ସମକାଳୀନ ହିନ୍ଦୁ ପଣ୍ଡିତ ମାନେ ଏ ବିବାହକୁ ସହମତି ନଦବା ସହିତ ମନ୍ଦିର ପ୍ରବେଶକୁ ମଧ୍ୟ ବାରଣ କରିଥିଲେ । ଏହାପରେ ରାଜୀବ ଲୋଚନ ବଙ୍ଗ ଫେରିଯାଇ ଇସ୍ଲାମ୍ ଧର୍ମ ଆପଣେଇ ସୁଲେମାନ୍ ଙ୍କ ଝିଅ ସହିତ ବିବାହ କରିଥିଲା । ତାପରେ ସେ ହେଇଯାଇଥିଲା କଳାପାହାଡ଼ । କଳାପାହାଡ଼ ନାମରେ ଥରି ଉଠୁଥିଲେ ସମସ୍ତେ କାରଣ ସେ ପାଲଟିଯାଇଥିଲା ହିଂସ୍ର ବିଧ୍ୱସଂକ । ସୁଲେମାନ୍ କରଣିଙ୍କ ସେନା କଳାପାହାଡ଼ ନେତୃତ୍ୱରେ ଓଡ଼ିଶା ଆକ୍ରମଣ କରିଥିଲା । ସେ ୧୫୬୮ ମସିହାରେ ମୁକୁନ୍ଦ ଦେବଙ୍କୁ ହରାଇ ହିଜିଳି, କଟକ, ଯାଜପୁର, ସମ୍ବଲପୁର, କୋଣାର୍କ, ଏକାମ୍ର କ୍ଷେତ୍ର, ଆଉ ପୁରୀ ଭଳି ସହରମାନଙ୍କ ଉପରେ ଜୟଲାଭ କରିଥିଲା । ଏହା କୁହାଯାଏ କି ସେ ବଳବତ୍ତର ଭାବେ ହଜାର ହଜାର ହିନ୍ଦୁମାନଙ୍କୁ ମୁସଲମାନ ବନାଇଥିଲା । ସେ ପ୍ରତିଷୋଧ ପରାୟଣ ହୋଇ ଅନେକ ହିନ୍ଦୁ ମନ୍ଦିର ଧ୍ବଂସ କରିଦେଇଥିଲା । ସେ ହିଂସ୍ର ପାଲଟିଲା ପରେ ବଙ୍ଗ ବିହାର କଳିଙ୍ଗ କୋଶଳ ଆଦି ରାଜ୍ୟରେ ଭୟାବହ ପରିସ୍ଥିତି ଉପୁଜିଥିଲା । କୋଣାର୍କ ମନ୍ଦିର ର ଧ୍ବଂସ ମଧ୍ୟ କଳାପାହାଡ଼ କରିଦେଇଥିଲା । ଆଜି ଯାହା ଆପଣ ଦେଖୁଛନ୍ତି ସେ ସମ୍ପୂର୍ଣ୍ଣ କୋଣାର୍କ ମନ୍ଦିର ନୁହେଁ । ମୁଖ୍ୟ ମନ୍ଦିର ତ ଧ୍ବଂସ ହେଇସାରିଛି, ଏ ଯାହା ଦେଖୁଛନ୍ତି ଏ ହେଉଛି ମନ୍ଦିରର ମୁଖଶାଳା ।
କଳାପାହାଡ଼ ର ମୃତ୍ୟୁ ବି ଓଡ଼ିଶାରେ ହୋଇଥିଲା ଆଉ ସେଭଳି ରାକ୍ଷସକୁ ମାରିବା ପାଇଁ ଭଗବାନଙ୍କୁ ପୃଥିବୀ ପୃଷ୍ଠକୁ ଆସିବାକୁ ପଡ଼ିଥିଲା । ମୃତ୍ୟୁ ର ଇତିହାସ ଆଗାମୀ ଆର୍ଟିକିଲ୍ ରେ ପ୍ରକାଶ କରିବୁ ।

LEAVE A REPLY

Please enter your comment!
Please enter your name here