ଯଦି ଆମେ ଗଭୀରତାର ସହ ଦେଖିବା ତାହେଲେ ଜିଣି ପାରିବା କି ଜଣେ ନାରୀ କେତେ ତ୍ୟାଗ କରିଥାଏ ତା ଜୀବନ କାଳରେ । ସମାଜ ସବୁ କ୍ଷେତ୍ରରେ ନାରୀ ମାନଙ୍କୁ ଦୋଷ ଦେଇ ଚାଲିଥାଏ କେହି କେବେ ହିସାବ କରନ୍ତିନି ଜଣେ ନାରୀ ତା ଜନ୍ମଠୁ ସଂଘର୍ଷ କରି ଚାଲିଥାଏ ନିଜ ଜୀବନ ସହିତ । ସେ ନାରୀ କୌଣସି ଜାତିର ହେଉ କୌଣସି ଧର୍ମର ହେଉ କିମ୍ବା କୌଣସି ସମ୍ପ୍ରଦାୟର ହେଉ । ତାକୁ ପ୍ରଥମେ ଆମ ସମାଜ ‘ତ୍ୟାଗ’ ର ଧର୍ମ ଶିଖେଇ ଦେଉଛି । କେବେ କେବେ ଅତ୍ୟାଚାର ଏତେ ବଢିଯାଏ ନାରୀ ପ୍ରତି, ବିଚାରିକୁ ପଚାରିବାକୁ ବି ମୌକା ଦିଆଯାଏନି ଯେ ତା ସହିତ ଏତେ ଅତ୍ୟାଚାର କଣ ପାଇଁ କରା ଯାଉଛି ! ସଂସ୍କୃତି ଓ ପରମ୍ପରା ନାମରେ କେବଳ ନାରୀଙ୍କୁ ହିଁ ତ୍ୟାଗ କରିବାକୁ ପଡିଥାଏ । ସ୍ବାମୀ ଯଦି ମରିଯାଏ ଦିତୀୟ ବିବାହ ଯେମିତି ନାରୀଙ୍କ ପାଇଁ ଅଭିଶାପ ପାଲଟି ଯାଏ । ଛାଡ଼ନ୍ତୁ ଏକଥାକୁ କାରଣ ଏ ତ ଆମ ସମାଜରେ ଘଟି ଚାଲିଛି । ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଆଜି ବି ଆମ ସମାଜରେ ଏମିତି ଅନେକ ମଣିଷ ଅଛନ୍ତି ସେମାନଙ୍କ ଭିତରେ ମଣିଷ ପଣିଆ ଭରପୁର ମାତ୍ରାରେ ଭରିହେଇ ଅଛି । ସେମାନେ ଲୋକଙ୍କ ଦୁଃଖ ଯନ୍ତ୍ରଣା କେବଳ ବୁଝନ୍ତିନି, ଲୋକଙ୍କୁ ଯନ୍ତ୍ରଣାରୁ ବାହାର କରିବାକୁ ନିଜ ଜୀବନର ମଧ୍ୟ ବାଜି ଲଗେଇ ଦିଅନ୍ତି ।
ରାଜୁ ବହୁତ ଦିନ ପରେ ଫେରିଥିଲା ବିଦେଶରୁ, ବସରୁ ଓହ୍ଲେଇ ଦେଖିଲା ଗାଁ ପାଞ୍ଚ ବର୍ଷ ପରେ ସେମିତି ଅଛି କିଛି ବି ପରିବର୍ତ୍ତନ ହେଇନି । ବସଷ୍ଟାଣ୍ଡରୁ ରାଜୁର ଘର ପ୍ରାୟ ୩ କିମି. ସେ ଦେଖିଲା କୌଣସି ଗାଡ଼ି ନାହିଁ ଯିବା ପାଇଁ ସେଥିପାଇଁ ସେ ଚାଲି ଚାଲି ଯିବାକୁ ସ୍ଥିର କଲା । ରାସ୍ତାରେ ଚାଲି ଚାଲି ଯାଉଥିଲା ସତ କିନ୍ତୁ ରାଜୁର ମନ ଗଗନରେ ଉଡୁଥିଲା କାରଣ ପାଞ୍ଚ ବର୍ଷ ପରେ ସେ ଘରକୁ ଫେରୁଛି ବାପା ମା ଭାଇ ଭଉଣୀଙ୍କ ସହ ଦେଖା ହେବ, ଗାଁ ସାଙ୍ଗ ମାନଙ୍କ ସହିତ ଦେଖା ହେବ ଆଉ ସେ ଯାହାକୁ ମନେ ମନେ ଭଲ ପାଉଥିଲା ତା ନାଁ ରେଖା ଆଉ ରେଖା ସହ ଦେଖା ହବ ଏମିତି ବହୁତ କିଛି ଭାବି ଭାବି ଚାଲିଥିଲା ପୁଣି ଭାବୁଥିଲା ରେଖା ଏବେ ବାହା ହେଇଯାଇଥିବ ବୋଧେ । ଏମିତି ଭାବି ଭାବି କେତେବେଳେ ଗାଁ ମୁଣ୍ଡରେ ପହଞ୍ଚି ଗଲାଣି ସେ ନିଜେ ବି ଜାଣି ପାରିନି । ଗାଁ ମୁଣ୍ଡ ପୋଖରୀ ପାଖରେ ଜଣେ ଝିଅ ଧଳା ଶାଢ଼ୀ ପିନ୍ଧି ପାଣି ନବାକୁ ଆସିଛି । ରାଜୁ ତାକୁ ଦେଖିଲା ପରେ ଚମକି ପଡିଲା । ତା ପାଖକୁ ଯାଇ ପଚାରିଲା ଏ ରେଖା ତୁ ଏମିତି ଧଳା ଶାଢ଼ୀ କାଇଁ ପିନ୍ଧିଚୁ ? ରେଖା ରାଜୁକୁ ଦେଖି କାନ୍ଦିବାକୁ ଲାଗିଲା କାରଣ ସେ ବି ଜାଣି ଥିଲା ରାଜୁ ତାକୁ ପସନ୍ଦ କରେ ବୋଲି । ଲୁହ ଏକ ଏମିତି ଜିନିଷ ଯେତେବେଳେ ଦେଖେ ଆପଣାର ଲୋକ ସେ ଆପେ ଆପେ ବାହାରି ଆସେ । ଠିକ୍ ଏତିକି ବେଳେ ରାଜୁର ମାଆ ଆସି ପହଞ୍ଚିଲେ… ଏ ରାଜୁ ତୁ ଏଠି କଣ କରୁଛୁ ଚାଲ ଏଠୁ ଘରକୁ ଅଲକ୍ଷେଣୀ ସହିତ କଣ କଥା ହେଉଛୁ ?
ରାଜୁ- ଏ କଣ ମା ଏମିତି କଣ କହୁଛୁ ?
ମା- ତୁ ଚାଲ୍ ଆଗ ଘରକୁ …
ମା ରାଜୁର ହାତ ଧରି ଟାଣି ଟାଣି ନେଇଗଲା ଘରକୁ । ରାଜୁ ଗଲା ବେଳେ ଖାଲି ପଛକୁ ବୁଲି ବୁଲି ଚାହୁଁଥିଲା ରେଖା ଆଡ଼କୁ । ମା ଘରେ ପହଞ୍ଚି କହିଲା ଉଆଁସୀ କନ୍ୟା ସେ ନଜଣଇ ବାହାଘର କରିଦେଲେ ଘର ଲୋକେ ହେଲେ ମାସ କେଇଟାରେ ସ୍ବାମୀକୁ ଖାଇ ବିଧବା ହେଇ ଆସି ଘରେ ଅଛି । ତା ମୁହଁ ଯିଏ ଦେଖେ ତାର ଅଶୂଭ ହୁଏ ତୁ କାଇଁ ତା ସହିତ କଥା ହେଉଛୁ ?
ରିଜୁ କହିଲା ଯଦି ବିଧବା ହେଇଗଲା କଣ ଦିତୀୟ ଥର ବାହା ହେଇ ପାରିବନି । ନା ନା ନା ମା କହିଲେ ଉଆଁସୀ କନ୍ୟାକୁ କିଏ ବାହା ହବ ? ରାଜୁ ସେ ରାତିରେ ଭଲରେ ଶୋଇ ପାରି ନଥିଲା ଖାଲି ରେଖାର ବିଧବା କାନ୍ଦ କାନ୍ଦ ମୁହଁ ରାଜୁ ଆଖୀରେ ନାଚୁଥିଲା । ସକାଳୁ ରାଜୁ ଯାଇ ରେଖା ପାଖରେ ପହଞ୍ଚିଲା ଆଉ କହିଲା ରେଖା ତୁ ଗୋଟେ କାମ କର ବଗିଚାର ବର ଗଛ ପାଖକୁ ଠିକ୍ ଦଶଟା ବେଳେ ଆସିବୁ କଥା ଅଛି କାରଣ ଏଠି କଥା ହବା ଠିକ୍ ନୁହେଁ ତୁ ତ ଜାଣିଛୁ ଗାଁ ଲୋକେ କେତେ ସନ୍ଦେହି !
ରେଖା ଯାଇ ଟାଇମ୍ ରେ ପହଞ୍ଚି ଗଲା ବରଗଛ ମୂଳେ । ରାଜୁ ତାକୁ ପୂର୍ବରୁ ଅପେକ୍ଷା କରିଥିଲା
ରାଜୁ- ରେଖା ତୋର କଣ ହେଇଛି ତୁ କାଇଁ ଧଳା ଶାଢ଼ୀ ପିନ୍ଧି ଦିନ କାଟୁଛୁ ?
ରେଖା- କଣ କରିବି ସବୁ ଭାଗ୍ୟର ବିଡ଼ମ୍ବନା, ଏମିତି ହବ ବୋଲି ମୁଁ ଜାଣି ନଥିଲି, ମୋର ବାହାଘର ହେଇଥିଲା  ୨ ବର୍ଷ ତଳେ ମୋ ସ୍ବାମୀ   ପ୍ରାଇଭେଟ୍ ଯବ କରୁଥିଲେ ଦିଲ୍ଲୀ ରେ । ସେ ମୋ ସହିତ ମାତ୍ର ମାସେ ରହିଛନ୍ତି ତାପରେ ସେ ଦିଲ୍ଲୀ ଚାଲିଗଲେ ସେ ଗଲାବେଳେ କହି ଯାଇଥିଲେ ମୁଁ ଯାଉଛି ମାସେ ଭିତରେ ଘର ଭଡାରେ ନେବି କିଛି ଜିନିଷ କରିବି ତାପରେ ଆସି ତତେ ନେଇଯିବି । ଏତିକି କହି ଯାଇଛନ୍ତି ହେଲେ ସେ ଯେଉଁ ଟ୍ରେନ୍ ରେ ଯାଉଥିଲେ ସେ ଟ୍ରେନ କାନପୁର ପାଖରେ ଧକା ହେଇଗଲା ଆଉ ସେହି ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଗଲା । ଏଥିରେ ମୋର ଦୋଷ କେଉଁଠି ରହିଲା ?
ରାଜୁ- ତୁ ଆଉ କାହାକୁ ବାହା ହେଇ ଯାଉନୁ ?
ରେଖା- ନାଇଁ ରାଜୁ ଆମ ସମାଜ ସ୍ବୀକୃତି ଦିଏନି ଉଆଁସୀ କନ୍ୟାକୁ ବାହା ହବାକୁ ।
ରାଜୁ- ତୁ ପାଠ ସାଠ ପଢ଼ି ବି ଏମିତି କଥାକୁ ବିଶ୍ୱାସ କରୁଛୁ ?
ରେଖା- ବିଶ୍ୱାସ ନକଲେ ବି ମାନିବାକୁ ହୁଏ ପରମ୍ପରାକୁ ।
ରାଜୁ- ମୁଁ କିନ୍ତୁ ବିଶ୍ୱାସ କରେନି ଏସବୁ କଥାକୁ । ଭଗବାନ ଜନ୍ମ ଦେଇଛନ୍ତି ସେ ତାଙ୍କ ସନ୍ତାନ ପାଇଁ ଏତେ ନିଷ୍ଠୁର କଦାପି ହେଇ ପାରିବେନି । ଏ ବାଜ୍ୟ ପରମ୍ପରା କେବଳ ମଣିଷ ତିଆରି କରିଛି ଭଗବାନ ନୁହେଁ ।
ରେଖା- ଭାରି କଷ୍ଟ ଲାଗୁଛି ଯେତେବେଳେ ସମସ୍ତେ ଦେଖି ମତେ ମୁହଁ ବୁଲେଇ ଚାଲି ଯାଉଛନ୍ତି କହୁଛନ୍ତି ମୋ ମୁହଁ ଚାହିଁଲେ ତାଙ୍କର କୁଆଡେ ଅମଙ୍ଗଳ ହେଉଛି । ମୋ ସହିତ କେହି କଥା ବି ହେଉ ନାହାନ୍ତି ।
ରାଜୁ- ଚିନ୍ତା କରନି, ମୁଁ ଅଛି ଏବେ ପନ୍ଦର ଦିନ ଗାଁ ରେ ତୋ ସହିତ ମୁଁ କଥା ହେବି । ତୁ ମତେ ତୋର ସବୁ ଦୁଃଖ କହିବୁ । ହଉ ତୁ ଯା ଘରକୁ ନହେଲେ ଯଦି କିଏ ଦେଖିଦବ ଆମକୁ ଏଠି ତାହେଲେ ସନ୍ଦେହ କରିବ ।
ଏମିତି ପନ୍ଦର ଦିନ କେମିତି କଟିଗଲା ଜଣା ପଡ଼ିଲାନି ରାଜୁର । ଏବେ ବି ରେଖା ସେମିତି ଧଳା ଶାଢ଼ୀ ପିନ୍ଧି ମୁହଁ ଶୁଖେଇ ଛିଡା ହୁଏ ଏଠି ସେଠି ।
ରାଜୁ ଗଲା ଦିନ ଗାଁ ମୁଣ୍ଡ ବରଗଛ ପାଖେ ରେଖା ବସିଥିଲା । ରାଜୁ ଯାଇ ରେଖା ପାଖରେ ବ୍ୟଗ୍ ରଖି କହିଲା ରେଖା ଗୋଟେ କଥା କହିବି
ରେଖା- ହଁ
ରାଜୁ- ଏ ପରମ୍ପରାକୁ ମୁଁ ଏଇଠି ଶେଷ କରିଦବାକୁ ଚାହୁଁଛି । ତୁ ମତେ ବାହା ହବୁ ?
ରାଜୁ ମୁହଁରୁ ଏମିତି କଥା ଶୁଣି ରେଖା ଆହୁରି ଯୋର ଯୋର ରେ କାନ୍ଦି ରାଜୁକୁ କହିଲା ରାଜୁ ତୁ ବି ମତେ ପରିହାସ କରୁଛୁ ନା ? ରାଜୁ ଆରେ ନା ମୁଁ ମିଛ କହୁନି ମୁଁ ତତେ ବାହା ହେଇ ଏ ପରମ୍ପରାକୁ ଏଇଠି ହିଁ ଶେଷ କରିବାକୁ ଚାହୁଁଛି । ମୁଁ ଆଜି ଯାଉଛି କେତେବେଳେ ଫେରିବି ଯାଣିନି ସେଥିପାଇଁ କହୁଛି ଚାଲେ ମୋ ସହିତ ଧଳା ଶାଢ଼ୀ ରୁ ତତେ ନାଲି ଶାଢ଼ୀ ପିନ୍ଧି ମୋ ସହିତ ଜୀବନ କାଟିବାକୁ ପଡ଼ିବ ।
ରେଖା ମୁହଁରେ କାନ୍ଦ ମିଶା ହସ ସେ ବସିଥିବା ଜାଗାରୁ ଉଠି ପଡ଼ି ରାଜୁକୁ କୁଣ୍ଢେଇ ପକେଇଲା ।
ରାଜୁ- ଚାଲେ କୁଣ୍ଢାକୁଣ୍ଢି ପରେ କରିବୁ ତୁ ଗୋଟେ ବ୍ୟଗ୍ ଧର ମୁଁ ଗୋଟେ ବ୍ୟଗ୍ ଧରୁଛି ।
ତାଙ୍କ ବାହାଘରକୁ ପାଞ୍ଚ ବର୍ଷ ପୁରି ଗଲାଣି । ସେ ଦୁଇ ଜଣଙ୍କର ଦୁଇଟି ଛୁଆ ବି ଅଛନ୍ତି ଜଣେ ପୁଅ ଆଉ ଜଣେ ଝିଅ । ଏବେ ରେଖା ସବୁଦିନ ନାଲି ଶାଢ଼ୀ ପିନ୍ଧି ବେଶ୍ ଖୁସିରେ ଦିନ କାଟୁଛି ପରିବାର ସହ । ରାଜୁର ମା ବି ନାତି ନାତୁଣୀ ମୁହଁ ଦେଖି ଉଆଁସୀ ଶବ୍ଦ ଭୁଲି ଯାଇଛି ।

LEAVE A REPLY

Please enter your comment!
Please enter your name here