ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଡିଜିଟାଲ ଏଜୁକେସନ ଅଭିଯାନରେ ଯୋଡିବା ପାଇଁ  ପଲାନିସାମୀ ସରକାର ରାଜ୍ୟରେ ମାଗଣାରେ Laptop ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି । ସୂଚନା ମୁତାବକ ତାମିଲନାଡ଼ୁର ନବମ ଓ ଦଶମ ଶ୍ରେଣୀର ଛାତ୍ରକୁ ଲ୍ୟାପଟପ୍ ପ୍ରଦାନ କରିବାକୁ ନିର୍ଣ୍ଣୟ ନେଇଛନ୍ତି ମୂଖ୍ୟମନ୍ତ୍ରୀ ପଲାନିସାମୀ ସରକାର ।

 ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ଆଗକୁ ବଢାଇ ବର୍ତ୍ତମାନ ସରକାର ସ୍କୁଲ ପିଲାଙ୍କ ପାଇଁ ନୂଆ ବର୍ଷର ଭେଟ କରିଛନ୍ତି । ଏଥିପାଇଁ ଶିକ୍ଷା ବିଭାଗଠୁ ପ୍ରସ୍ତାବ ମଧ୍ୟ ମଗାଯାଇଛି । ଉଲ୍ଲେଖଯୋଗ୍ୟ ତାମିଲନାଡୁରେ ଲ୍ୟାପଟପ୍ ବିତରଣର ଏହି ଯୋଜନାର ଆରମ୍ଭ 2011-2012 ରେ ହୋଇଥିଲା । ଏହି ଯୋଜନା ଆଧାରରେ ଦ୍ଵାଦଶ ଶ୍ରେଣୀର ଛାତ୍ରଙ୍କୁ ମାଗଣାରେ Laptop ବିତରଣ କରାଯାଉଥିଲା। ଏବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ଶିକ୍ଷା ବିଭାଗଠୁ ପ୍ରସ୍ତାବ ମାଗିଛନ୍ତି ସରକାର। କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନାରେ ରୁଚି ଦେଖାଇ ତାମିଲନାଡୁ ସରକାରଙ୍କୁ ଜରୁରୀ ଆର୍ଥିକ ସହାୟତା ଦେବାକୁ ଆଶ୍ଵାସନା ଦେଇଛନ୍ତି ବୋଲି ଜଣାପଡ଼ିଛି ।
ତାମିଲନାଡୁ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଙ୍କୁ ସାମିଲ କଲେ ବି ରାଜ୍ୟ ସରକାରଙ୍କ ଉପରେ ଖାସ୍ ଆର୍ଥିକ ବୋଝ ପଡ଼ିବ ନାହିଁ। ତାମିଲନାଡୁରେ ଏହି ଯୋଜନାର ପ୍ରାରମ୍ଭରେ ରାଜ୍ୟ ସରକାର କେବଳ ଦ୍ଵାଦଶ ଶ୍ରେଣୀର ଛାତ୍ରଙ୍କୁ ସାମିଲ କରିଥିଲେ । ଏହା ପରେ ଏକାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସାମିଲ କରାଯାଇଥିଲା। ଏହି ଯୋଜନା ଆଧାରରେ ଏ ପର୍ୟ୍ୟନ୍ତ ମୋଟ୍ ୩୮ ଲକ୍ଷ ଛାତ୍ରଙ୍କୁ ମାଗଣାରେ Laptop ବିତରଣ କରାଯାଇଛି ବୋଲି କହିଛନ୍ତି ଅଧିକାରୀ ।

LEAVE A REPLY

Please enter your comment!
Please enter your name here