ବାପା ଚାଲିଯିବା ମାସେ ପୁରିଗଲାଣି ୟା’ ଭିତରେ। ଅରୁଣ କିନ୍ତୁ ଯାଇପାରିନଥିଲା। ଯୋଉଦିନ ବାପାଙ୍କ ଦେହାନ୍ତ ହେଲା, ସେଦିନ ପୁଅର ବୋର୍ଡ ପରୀକ୍ଷା ଆରମ୍ଭ। ସ୍ତ୍ରୀ’ର ଆଖିରୁ ବୁଝିଗଲା ବାପାଙ୍କ କର୍ମରେ ରହିବାଠୁ ପୁଅର ପରୀକ୍ଷା ସହ ଜଡ଼ିତ ଥିବା ଭବିଷ୍ୟତ ଅଧିକ ଜରୁରୀ। ସାନଭାଇ ଯାଇ ସବୁ କର୍ମ ତୁଲେଇଲା। ରକ୍ଷା, ତା’ର କେହି ପୁଅ କି ଝିଅ ବୋର୍ଡ ପରୀକ୍ଷା ଦବାର ନଥିଲା। ଆଜି ସାମାଜିକ କର୍ତ୍ତବ୍ୟ ଦୃଷ୍ଟିରୁ ବାହାରିଛି ବୋଉକୁ ଦେଖିବାକୁ। ତଥାପି ସ୍ତ୍ରୀ’ର ତାଗିଦା- “ଏବେ ଆଉ ବୋଉଙ୍କୁ ସାଙ୍ଗରେ ନେଇ ଆସିଯିବନି। ବୁଢ଼ୀ ଲୋକ, କନ୍ଦାକଟା କରିବେ ସବୁବେଳେ। ଘରପାଇଁ ଅଶୁଭ, ବାସ୍ତୁଦୋଷ ଲାଗିବ”। ଘର ପାଖେଇ ଆସିବା ବେଳକୁ ତା’ ମନଟା ଭାରି ଛଟପଟ ହଉଥିଲା।
ବଡ଼ପୁଅ ବୋଲି ବୋଉ ସବୁଥିରେ ତା’ପାଇଁ କେତେଯେ ପକ୍ଷପାତିତା କରୁଥିଲା ଆଉ ଧରାପଡି ଅନ୍ୟ ଭାଇ ଭଉଣୀଙ୍କ ରାଗର ଶିକାର ହଉଥିଲା। ବାପା କେବେକେବେ ହସିକି କହୁଥିଲେ “ମୁଣ୍ଡରେ ବସେଇଥା, ଠିକ୍ ବେଳରେ ତମ ବଡ଼ପୁଅ ଜମା ପିଠିରେ ପଡ଼ିବନି।” ଏସବୁ ଥିଲା ପିଲାଦିନର କଥା। ବାପାଙ୍କ କଥା ଯେମିତି ଆଜି ସତ ହେଇଗଲା। କାହିଁ? ମାସେ ଭିତରେ ସେଇ ପୁଅର ସମୟ ହେଲାନି ମା’ର ଲୁହ ପୋଛିବାକୁ କି କୋଳେଇ ନବାକୁ? ସାନଭାଇ କିନ୍ତୁ ତା’କାମରୁ କୋଡ଼ିଏ ଦିନ ଛୁଟି ନେଇ ସ୍ତ୍ରୀ ସହ ଆସିଥିଲା। ଭଉଣୀ’ତ ଏଯାଏ ରହିଛି ତା’ ପିଲାକୁ ସ୍ଵାମୀ ପାଖରେ ଛାଡ଼ି। ପହଞ୍ଚିଗଲା ଘରେ। ଭାରି ଖାଁଖାଁ ଲାଗୁଥିଲା।ତା’ ଛାତି ଭିତରଟା ଧଡ଼ପଡ଼ ହଉଥିଲା।
ସାମ୍ନା କରିପାରିବତ ବୋଉକୁ? ଗଲା ଭିତରକୁ। ବୋଉ ତଳେ ବସିଥିଲା। ପାଦ ଛୁଇଁଲା। ବୋଉ ତା’ର ଖାଲି ଗୁରୁବାର ଦିନ ଯାହା ନାଲି ଧଡିର ଧଳାଶାଢୀ ପିନ୍ଧୁଥିଲା, ସେ’ବି ଦେବୀ ପରି ଝଟକୁଥିଲା। ଆଜି ଖାଲି ଧଳାଶାଢୀ ପିନ୍ଧିଛି, ତଥାପି ସେମିତି ଝଟକୁଛି, ଖାଲି ଆଖି ଦି’ଟା ଶୂନ୍ୟ ହେଇଯାଇଛି। ବୋଉ ତା’ ମୁଣ୍ଡକୁ ଆଉଁସି ଦେଲା, ପାଟିକଲା ଭଉଣୀ ଉଦ୍ଦେଶ୍ୟରେ- “ଆରେ ମୋ ଧନଟା କେତେ ବାଟରୁ ଆସିଛି, ରାତିସାରା ଭଲରେ ଶୋଇନଥିବ। ଜଲଦି ତା’ ପାଇଁ ଚା’ କରି ନେଇଆ। ସେ ଗାଧୁଆପାଧୁଆ ସାରି ଖାଇଦେଇ ଶୋଇପଡୁ ଟିକେ।” ଅରୁଣ ବହୁତ କିଛି କହିବାକୁ ଭାବିଥିଲେବି କିଛି କହିପାରିଲାନି। ବୋଉ କେତେକଥା ପଚାରିଦେଇ ଗଲା, ଘରର ଭଲମନ୍ଦ କଥା। ନିଜକଥା କିଛିବି କହିଲାନି।  ଭଉଣୀ ଯାହା ତାକୁ କୁଣ୍ଢେଇ ପକେଇ କାନ୍ଦିପକେଇଲା। ବୋଉ ତାକୁ ଆକଟ କଲା। ଅରୁଣ ଭାବିଲା ସନ୍ଧ୍ୟାରେ ବୋଉ ସାଙ୍ଗେ ନିରୋଳାରେ କଥା ହବ। ପାରିଲାନି। ଏ ଘର ଆଜି ତାକୁ ଭାରି ପରପର ଲାଗୁଛି। ଦିନେ ବିତିଗଲା। ଆଉ ଦିନକ ପରେ ସେ ଫେରିଯିବ, ଏକଥା ବୋଉକୁ କେମିତି କହିବ? ବୋଉ ଚା’ ନେଇ ଆସିଲା। କହିଲା -” ରହିବୁ ନା ଫେରିଯିବୁ? କେତେ କାମ ଛାଡ଼ିକି ଆସିଥିବୁ।” ଇଚ୍ଛା ହଉଥିଲା କହିଦବ ବୋଉ ତୁ ଚାଲ୍ ମୋ ସାଙ୍ଗରେ, କହିପାରିଲାନି। ବଡ଼ ସନ୍ତର୍ପଣରେ ଦଶହଜାର ଟଙ୍କା ବାହାର କରି ବୋଉକୁ ବଢେଇ କହିଲା -“ଏତକ ରଖିଥା” ବୋଉ କହିଲା-” ଟଙ୍କା କ’ଣ ହବ? ତୁ ରଖିଦେ, ତୋର କେତେ ଖର୍ଚ୍ଚ, ଦରକାର ହବ।” ଗଲା, ଋଣ ସୁଝିବାର ସାମାନ୍ୟ ସୁଯୋଗ’ବି ହାତରୁ ଚାଲିଗଲା।
ରାତିରେ ଜମା ଶୋଇ ପାରିଲାନି ସେ। ବୋଉର ଶୋଇବା ଘର କବାଟ ଟିକେ ଖୋଲା ଥିଲା। ଦେଖିଲା, ଭଉଣୀ ତାକୁ କୁଣ୍ଢେଇ ଧରି ଶୋଇଛି ଯେମିତି ତାକୁ କେବେ ଏକା ଛାଡ଼ିବନି। ସକାଳ ହେଇଗଲା। ଦ୍ଵିପହରେ ଖାଇ ଫେରିବ ବୋଲି ବୋଉ ସକାଳୁ କେତେକଣ ତା’ ପାଇଁ ରାନ୍ଧିବାରେ ଲାଗିଥିଲା। ଭଉଣୀ କହିଲା ବାପା ଚାଲିଯିବା ପରେ ଏଇ ପ୍ରଥମେ ରୋଷେଇ ଘରେ ପଶିଛି। ଖାଇପିଇ ଅରୁଣ ବାହାରିଲା। କିଛି କହିବା ଆଗରୁ ବୋଉ ରାଣ ଦେଇ ତା’ ପକେଟରେ ହଜାର ଟଙ୍କା ପୁରେଇଦେଇ କହିଲା -“ବାଟରୁ ପିଲାଙ୍କ ପାଇଁ କଣ ନେଇଯିବୁ।” ବୋଉର ପାଦ ଛୁଇଁଲା। ଗାଡ଼ିରେ ବସିଲା। ଷ୍ଟେସନରେ ପହଞ୍ଚିବା ଯାଏ ତା’ ଆଖିରୁ ଲୁହ ଖାଲି ଧାରଧାର ହେଇ ଝରୁଥିଲା। ଭଲ, ନହେଲେ ଘରେ ପହଞ୍ଚିଗଲା ପରେ ଲୁହ ଗଡେଇବା ଲାଗି’ବି ଅନୁମତି ନମିଳିପାରେ। ଷ୍ଟେସନ ଆସିଗଲା। ଲୁହ ପୋଛିଦେଇ ଓହ୍ଲେଇଲା। ଭାବିଲା, ସତରେ ବୋଉଟା ମୂର୍ଖ।ନହେଲେ ରାଣ ଦେଇ ଟଙ୍କା ଦେଲା, ଆଉ ଦି’ଦିନ ରହିଯିବାକୁ କି ମୋ ସାଙ୍ଗରେ ଆସିବାକୁ ରାଣ ଦେଇ ପାରିଲାନି? କାହିଁକି ଯେ? ଭଲକରି ଜାଣେ ୟା’ର ଉତ୍ତର ସେ କେବେ ପାଇପାରିବନି। ଗାଡ଼ି ଛାଡ଼ିଦେଲା ଷ୍ଟେସନ୍। ଜାଣିନି, ବୋଉ ଚାଲିଗଲା ପରେ ସେ ଆଉଥରେ ସେ ଘରକୁ ଆସିପାରିବ କି ନା??!

LEAVE A REPLY

Please enter your comment!
Please enter your name here