ନରେନ୍ଦ୍ର ମୋଦିଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ହୋଇଛି ସିଏବି ବିଲ; ଏହାକୁ ନେଇ ତୀବ୍ର ବିରୋଧ, ଏବଂ ଆନ୍ଦୋଳନରେ ଛାତ୍ରଛାତ୍ରୀ ସହ ସମାଜସେବୀ, ବୁଦ୍ଧିଜୀବୀ, ରାଜନେତା ଏବଂ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି; ଦିଲ୍ଲୀରେ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ପୁଲିସ୍ ଆରେଷ୍ଟ କରିଥିବା ବେଳେ ବେଙ୍ଗାଳୁରୁରେ ରାମଚନ୍ଦ୍ର ଗୁହାକୁ ପୁଲିସ୍ ବଳପୂର୍ବକ ଉଠାଇ ନେଇଛି
ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ୪୮ ନମ୍ବର ଜାତୀୟ ରାଜପଥକୁ ଜାମ କରିବାରୁ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ-ଗୁରୁଗ୍ରାମ ସୀମାକୁ ସିଲ କରିଦିଆଯାଇଛି; ସେହିପରି ଏନଏଚ-୮ରେ ଟ୍ରାଫିକ୍ ବ୍ୟବସ୍ଥା ଅଚଳ ହୋଇଯାଇଛି; ଦିଲ୍ଲୀରେ ପ୍ରତିବାଦ ତୀବ୍ର ହେବାରୁ ୧୯ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖିବାକୁ ପଡ଼ିଛି; ଇଣ୍ଡିଗୋର ୨୦ଟି ବିମାନକୁ ରଦ୍ଦ କରାଯିବା ସହ ୧୬ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି; ଏୟାର ଇଣ୍ଡିଆର ୮ଟି ବିମାନ ଦେଢ଼ ଘଂଟାରୁ ଅଧିକ ସମୟ ଯାଏଁ ବିଳମ୍ବ ହୋଇଛି ଏବଂ ମୋବାଇଲ ସେବା, ଇଂଟରନେଟ୍ ଓ ଏସଏମଏସ ଉପରେ କଟକଣା ଲାଗିଛି
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ କୌଣସି ରାଲିକୁ ଅନୁମତି ଦେଇନଥିଲା; ପ୍ରତିବାଦ ସ୍ଥଳରେ ଆଗୁଆ ୧୪୪ ଧାରା ଜାରି କରାଯାଇଥିଲା ଅର୍ଥାତ ୪ରୁ ଅଧିକ ବ୍ୟକ୍ତି ଏକାଠି ହେବା ଉପରେ କଟକଣା ଲଗାଯାଇଚି; ଆଇଟିଓ ମେଟ୍ରୋ ଷ୍ଟେସନ ନିକଟରେ ଥିବା ସହିଦ ପାର୍କରେ ଦୁଇଟି ଗୋଷ୍ଠୀ ଏକାଠି ହୋଇ ପ୍ରତିବାଦକୁ ଜୋରଦାର କରିବା ପାଇଁ ଆୟୋଜନ କରୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଂଚି ସବୁ ପଣ୍ଡ କରିଛି
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷନୌରେ ଆନ୍ଦୋଳନକାରୀ ନାଗରିକତା ଆଇନ୍ ଓ ଏନଆରସିକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି; ପୁଲିସ୍ ଗାଡ଼ି ଉପରେ ଆନ୍ଦୋଳନକାରୀ ପଥର ମାଡ଼ କରିଥିବା ବେଳେ କିଛି ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି; ଲକ୍ଷନୌର ପୁରୁଣା ସହର ଅଂଚଳରେ ପୁଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ; ତେଣୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ୍ ଲୁହବୁହା ଗ୍ୟାସ୍ ଛାଡିବା ସହ ଲାଠିଚାର୍ଚ୍ଚ ମଧ୍ୟ କରିଛି
ତେବେ ଲୋକଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଏକ ନୂଆ ପ୍ରୟାସ କରିଛନ୍ତି; ନାଗରିକତା ସଂଶୋଧନ ଆଇନ ସଂପର୍କରେ ଲୋକଙ୍କ ଭିତରେ ଥିବା ଭୟ ଓ ବିଭ୍ରାନ୍ତିକୁ ଦୂର କରିବା ପାଇଁ ବିଜ୍ଞାପନ ଜରିଆରେ ଗୁଜବକୁ ବିଶ୍ୱାସ ନକରିବାକୁ ସରକାର ଅନୁରୋଧ କରିଛନ୍ତି

LEAVE A REPLY

Please enter your comment!
Please enter your name here