ସମୟ ୧୦:୩୦, ପ୍ରଥମ ଶ୍ରେଣୀର ଶ୍ରେଣୀ ଶିକ୍ଷକ ସରୋଜିନୀ ଦେବୀ ପିଲାଙ୍କ ଉପସ୍ଥାନ ଖାତା ଧରି ଶ୍ରେଣୀ ଭିତରକୁ ପଶି ଆସିଲେ।

ଗୋଟେ ପିଲା ହାତ ରେ ସିଲଟ ଟି ଧରି ଉପର ତଳ କରୁଥାଏ। ଆଉ କହୁଥାଏ ” ନଈ ପାଣି ନଈ କି ଯା, ମୋ ସିଲଟ ଶୁଖି ଯା । ବନ୍ଧ ପାଣି ବନ୍ଧ କୁ ଯା, ମୋ ସିଲଟ ଶୁଖି ଯା । ତା ନାଁ ମକରା I

ହଠାତ ଗୋଟେ ଶବ୍ଦରେ ସରୋଜିନୀ ଦେବୀ ଚମକି ପଡିଲେ। ସିଲଟ ଟି ମକରା ହାତରୁ ଖସି ଯାଇ କିଛି ଦୂର ରେ ପଡି ଭାଙ୍ଗି ଯାଇଥାଏ। ଶ୍ରେଣୀ ରେ ପ୍ରଥମ ହେଉଥିବା ପିଲା ବିଶୁ ମୁଣ୍ଡରେ ସିଲଟ ବାଜି ତା ମୁଣ୍ଡରୁ ରକ୍ତ ବୋହୁଥାଏ।

ଶ୍ରେଣୀ ର ସବୁ ପିଲା ଚୁପ ହୋଇ ଯାଇଥାନ୍ତି। ବିଶୁ ମୁଣ୍ଡରେ ହାତ ଥାପି କାନ୍ଦୁଥାଏ। ରକ୍ତ ରେ ତା ଧଳା ସାର୍ଟ ଟି ଭିଜି ଯାଇଥାଏ। ପାଖରେ ବସିଥିବା କିଛି ପିଲାଙ୍କ ବହି ବସ୍ତାନୀ ଓ ସାର୍ଟ ରେ ବି ରକ୍ତ ଲାଗିଥାଏ। ସରୋଜିନୀ ଦେବୀ କଣ କରିବେ ଭାବୁ ଭାବୁ ପ୍ରଥମେ ବିଶୁ କୁ ପ୍ରଧାନ ଶିକ୍ଷକଙ୍କ ପାଖକୁ ନେଇ ଵ୍ୟାଣ୍ଡେଜ କଲେ।

ଶ୍ରେଣୀ କୁ ଫେରି ଦେଖିଲେ ମକରା ସେଇମିତି କାକୁସ୍ଥ ହୋଇ ଠିଆ ହୋଇଥାଏ। ମୁହଁ ରେ ତା’ର ଭୟ । ଆଖିରେ ଭୟ ମିଶା ଚାହାଣି। ଲୁହ ଅନବରତ ବୋହି ଚାଲିଥାଏ। ପୁରା ଡରି ଯାଇଥାଏ ସେ। ସରୋଜିନୀ ଦେବୀ ଭାବିଲେ , ସେ ବୋଧେ ମାଡ ଖାଇବ ବୋଲି ଡରି ଯାଇଛି। ମୁଣ୍ଡକୁ ତାର ଆଉଁସି ଦେଇ ବସିବାକୁ କହିଲେ।

ବିଶୁ , ସ୍କୁଲ ପ୍ରେସିଡେଣ୍ଟଙ୍କ ପୁଅ। ପ୍ରେସିଡେଣ୍ଟ ଭାରି ରାଗି। ଟିକେ ଟିକେ କଥାରେ ରାଗି ଯାଆନ୍ତି ସେ। ମକରା କୁ କଣ କହିବେ, ଚିନ୍ତା ରେ ପଡିଗଲେ ସେ। ଭାରାକ୍ରାନ୍ତ ମନ ନେଇ ଉପସ୍ଥାନ ଟି ପକେଇ ସମୟ ହେବା ପୂର୍ବରୁ ଶ୍ରେଣୀ ରୁ ବାହାରି ଗଲେ।

ସରୋଜିନୀ ଦେବୀ ଗଲା ପରେ ଶ୍ରେଣୀ ରେ ହୋ ହାଲ୍ଲା ଆରମ୍ଭ ହୋଇଗଲା। ଶ୍ରେଣୀ ରେ ଥିବା ପିଲାମାନଙ୍କ ଅପେକ୍ଷା ସେ ଗରିବ। ବାପା ରିକ୍ସା ଟାଣି ମକରା କୁ ପାଠ ପଢାଏ। ମକରା ଗରିବ ରିକ୍ସା ଵାଲା ର ପୁଅ ହେଲେ ବି ଭଲ ପଢେ। ବିଶୁ ପ୍ରଥମ ହେଲେ ସେ ଦ୍ବିତୀୟ ହୁଏ। ତେଣୁ ମକରା ଉପରେ ଶ୍ରେଣୀ ର କିଛି ପିଲାଙ୍କ ର ରାଗ ଥାଏ। ସେମାନେ ନିଜ ନିଜ ବାପା ମାଙ୍କ ପାଖରୁ ଗାଳି ମାଡ଼ ଖାଆନ୍ତି ମକରା ପାଇଁ। ରିକ୍ସା ଵାଲା ର ପୁଅ ଭଲ ପଢିବ ଆଉ ତାଙ୍କ ପୁଅ ତା’ଠୁ ପଛରେ ରହିବ? ଏକଥା ହଜମ ହୁଏନି ସେମାନଙ୍କୁ।

ମକରା ଏକା ବସିଥାଏ। ମନରେ ଅନେକ ଭାବନା। ଲୁହ ବୋହୁଥାଏ। ସର ଦିଦି ସିନା କିଛି କହିଲେନି, ପ୍ରଧାନ ସାର ପିଟିବେ। ବିଶୁ ର ବାପା ବି ପିଟିବେ। ମାଡ଼ ଖାଇବାକୁ ଡର ନଥାଏ, କିନ୍ତୁ କାଲି ଠୁ ସେ ସ୍କୁଲ ରେ ପଢିବ କେମିତି? ବହୁତ କହି କହି ବା ଦି ମାସ ପରେ ଏ ସିଲଟ ଟି ଆଣି ଦେଇଥିଲା। ପୁରୁଣା ସିଲଟ ରେ କିଛି ଦେଖା ଯାଏନି, ଖଡ଼ି ଚାଲେନି ସେଥିରେ। ଏବେ କଣ କରିବ? ସେ କାନ୍ଦି କାନ୍ଦି ଏବେ ହିକା ଉଠୁଥାଏ ତାର।

ସେପଟେ ବିଶୁ କୁ ସେମାନେ ଟିହାଇବାକୁ ଲାଗିଲେ। ଯେମିତି କି ବିଶୁ , ମକରା କୁ ମାଡ଼ ଖୁଆଇବ। ବିଶୁ କିନ୍ତୁ ଅଜାଣତରେ ଏସବୁ ହୋଇଛି ବୋଲି ବୁଝିପାରୁଥାଏ।

ପିଅନ ଆସି ବିଶୁ ଆଉ ମକରା କୁ ପ୍ରଧାନ ସାର ଡାକୁଛନ୍ତି ବୋଲି କହିଦେଇ ଗଲା। ବିଶୁ ଆଉ ମକରା ଅଫିସ କୁ ଗଲେ। ସେଠି, ବିଶୁ ର ବାପା, ପ୍ରଧାନ ଶିକ୍ଷକ ଓ ସର ଦିଦି ଥାଆନ୍ତି। ପ୍ରଥମେ ମକରା କୁ ପଚରା ଗଲା। ସେ ଡରି ଡରି କହିଲା, “ମୁଁ, ସିଲଟ ଶୁଖାଉଥିଲି। ହାତ ରୁ… I ଆଉ କିଛି କହିବା ପୂର୍ବରୁ, ବିଶୁ ମକରା ମୁହଁରେ ହାତ ଦେଇ ଅଟକେଇ ଦେଲା। ଓ ନିଜେ କହିଲା, ” ବାପା, ସେ ସିଲଟ ଶୁଖେଇଲା ବେଳେ ମୁଁ ହାତ ଟେକି ଦେବାରୁ ସିଲଟ ତା ହାତରୁ ଖସିଗଲା ଓ ମୋ ମୁଣ୍ଡରେ ବାଜିଲା। ସିଲଟ ବି ପଡି ଭାଙ୍ଗିଗଲା। ଏଥିପାଇଁ ମୁଁ ଦୋଷୀ। ମୋ ମୁଣ୍ଡ ତ ଫାଟିଛି, କିନ୍ତୁ ସିଲଟ ନଥିଲେ ସେ ପଢି ପାରିବନି। ତା ପାଇଁ ସିଲଟ ଟେ ଆଣିଦିଅ । ପ୍ଲିଜ଼। “

ଅଫିସ ରୁ ବାହାରିବା ବେଳେ, ବିଶୁ ଆଉ ମକରା କାନ୍ଧ ରେ ହାତ ପକେଇ, ନୂଆ ସିଲଟ ଟି ଧରି ଡେଇଁ ଡେଇଁ ଶ୍ରେଣୀ ଗୃହ ଆଡକୁ ଯାଉଥିବାର ଦେଖି ସରୋଜିନୀ ଦେବୀ କଣ କହିବେ, କିଛି ଭାବିପାରୁନଥିଲେ।

ତାଙ୍କ ଆଖି କୋଣ ରେ ଲୁହ ବୁନ୍ଦେ ଚିକମିକ କରୁଥିଲା…..

–ସମାପ୍ତ–

LEAVE A REPLY

Please enter your comment!
Please enter your name here