ମୃତ୍ୟୁ ଚିରନ୍ତନ ସତ୍ୟ, ଯାହା ଜନ୍ମ ନେଇଛି ମୃତ୍ୟୁ ସୁନିଶ୍ଚିତ ଏକଥା ଭଗବାନ ଶ୍ରୀକୃଷ୍ଣ ଗୀତରେ ମଧ୍ୟ ଲେଖିଛନ୍ତି । ବୃଦ୍ଧାବସ୍ତା ର ମୃତ୍ୟୁ ପୂର୍ବରୁ ଯେଉଁ ଯନ୍ତ୍ରଣା ଜୀବନର ସବୁଠୁ ଅଧିକ ଯନ୍ତ୍ରଣା ବୋଲି କୁହାଯାଉଛି । ଏହି ଯନ୍ତ୍ରଣା କଥା ଭାବି ଭାବି ଜଣେ ଆତ୍ମହତ୍ୟା କରିଛନ୍ତି ବ୍ରହ୍ମପୁର ରେ ।

ସୁଇସାଇଡ଼୍ ନୋଟ୍ ରେ ଲେଖିଥିଲେ- “ମୃତ୍ୟୁ ପୂର୍ବରୁ ମା’ଙ୍କ ଯନ୍ତ୍ରଣା ଅନୁଭବ କରିଛି । ବାର୍ଦ୍ଧକ୍ୟକୁ ସହି ପାରିବିନି, ତେଣୁ ମୁଁ ଏ ସଂସାର ତ୍ୟାଗ କରୁଛି ।”
ଏମିତି ଏକ ପୋଷ୍ଟ୍ ଫେସବୁକ୍ ରେ ଅପ୍ଡେଟ୍ କରି ସବୁଦିନ ପାଇଁ ଚାଲିଗଲେ ସେ । ମୃତ ବ୍ୟକ୍ତି ଅଜିତ କୁମାର ପଣତା (୫୨) ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ମୀନାକ୍ଷିନଗରର ବାସିନ୍ଦା ଅଟନ୍ତି । ସେ ରୟାଲ୍ କଲେଜ୍ ଅଫ୍ ଫାରମାସୀସ୍ ରେ ଲ୍ୟାବ୍ ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟରତ ଥିଲେ । ସେ ବ୍ୟଚଲର୍ ଥିଲେ ।
ପ୍ରାୟ ଏକ ବର୍ଷ ପୂର୍ବରୁ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା । ମା’ଙ୍କ ମୃତ୍ୟୁ ପରେ ସେ ଏକା ରହୁଥିଲେ ଭଡ଼ା ଘରେ । ମାଆଙ୍କ ମୃତ୍ୟୁ ସମୟର ଯନ୍ତ୍ରଣା ଦେଖି ସେ ଭାଙ୍ଗି ପଡ଼ିଥିଲେ । ସେଇ ଯନ୍ତ୍ରଣା ତାଙ୍କ ମନ ପ୍ରାଣ ଆତ୍ମାକୁ ମର୍ମାହତ କରିଥିଲା । ମା ମୃତ୍ୟୁ ସମୟରେ ବହୁତ କଷ୍ଟ ପାଇଥିଲେ ମୃତ୍ୟୁ ପାଇଁ ଭଗବାନଙ୍କ ପାଖରେ ଗିଡିଗିଡେଇ ଥିଲେ ।
ଶନିବାର ରାତିରେ ଏମିତି ଏକ ସୁଇସାଇଡ଼୍ ନୋଟ ପୋଷ୍ଟ୍ କରିବା ଘଟଣା ସମ୍ପର୍କୀୟ ମାନେ ଦେଖିଥିଲେ । ରବିବାର ସକାଳେ ସେମାନେ ତାଙ୍କର ସହକର୍ମୀ ମାନଙ୍କୁ ନେଇ ତାଙ୍କର ଭଡାଘରେ ପହଞ୍ଚି ଥିଲେ । ଘର କବାଟ ଭିତର ପଟୁ ବନ୍ଦ ଥିବା ଦେଖିଲା ପରେ ସେମାନେ ପୋଲିସ୍ କୁ ଏହି ସୂଚନା ଦେଇଥିଲେ । ସୂଚନା ପାଇ ମୀନାକ୍ଷିନଗର ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଦେଖିଲେ କାନ୍ଥରେ ଲେଖା ଅଛି “ନେକ୍ସଟ୍ ଗେଟ୍ ଏଣ୍ଟ୍ରି ଓ୍ବଟ୍ ଫର୍ ପୋଲିସ୍” ତାପରେ ପୋଲିସ୍ କବାଟ ଭାଙ୍ଗି ଘର ଭିତରକୁ ପସିଲେ । ଘର ଭିତରେ ଅଜିତ ର ଝୁଲନ୍ତା ଶବ ଜବତ୍ କରିଥିଲେ ଏହା ବ୍ୟତୀତ ଏକ ସୁଇସାଇଡ଼୍ ନୋଟ୍ ମଧ୍ୟ ଜବତ୍ ହୋଇଥିଲା । ନୋଟ୍ଟି ଇଂରାଜୀ ଭାଷାରେ ଲେଖାଥିଲା ।

ମା’ଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ତାଙ୍କ ମନକୁ ବହୁତ୍ କଷ୍ଟ ଦେଇଥିଲା । ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ସହିପାରିବେନି ବୋଲି ଏହି ନିଷ୍ପତ୍ତି ନେଉଛନ୍ତି ବୋଲି ଉଲ୍ଲେଖ ଥିଲା । ଏ ଘଟଣାରେ କେହି ଦାୟୀ ନୁହନ୍ତି ବୋଲି ସେ ଲେଖି ଥିଲେ ।

LEAVE A REPLY

Please enter your comment!
Please enter your name here