ମରଣ ସହ ସଂଘର୍ଷ କରୁଥିବା ଜଣେ ସନ୍ତାନର ପିତାମାତାଙ୍କ ହୃଦୟ ବି ଏତେ ବିଶାଳ ହୋଇପାରେ ତାହା ପରିକଳ୍ପନା ବାହାରେ । ନିଜ ପୁଅର ଜୀବନ ଦୀପ ଲିଭି ଲିଭି ଆସୁଛି ଜାଣିବା ପରେ ବି ପୁଅ ଶରୀରର ଅଙ୍ଗଗୁଡିକ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଓଡ଼ିଶାର ଓଡିଆ ପରିବାର
ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲାଲ୍ ସିଂ ଗାଁର ବାବୁଲି ସେଠୀ ଓ ଗୀତାଞ୍ଜଳି ସେଠୀଙ୍କ ପୁଅ ସୁରଜ । ଦୀର୍ଘ ବର୍ଷ ହେବ ଏମାନେ ସୁରତରେ ରହି ଆସୁଥିଲେ ଓ ସୁରଜ ସେଠି ଏକ ଲୁଗା କମ୍ପାନୀରେ କାମ କରୁଥିଲେ । କିନ୍ତୁ ଏକ ଛୋଟିଆ ସଡକ ଦୁର୍ଘଟଣାରେ ଘୋଟିଯାଇଥିଲା ଏହି ହସ ଖୁସିର ପରିବାରରେ ଶୋକର ଛାୟା । ଗତମାସ ୨୯ତାରିଖରେ ଏକ ବସ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୁରଜ୍ । ମାତ୍ର ଡାକ୍ତରଙ୍କ ସବୁ ପ୍ରୟାସ ପରେ ବି ସୁରଜ ଠିକ୍ ହୋଇପାରିନଥିଲେ । ସୁରଜଙ୍କ ମସ୍ତିଷ୍କ ଅକାମୀ (ବ୍ରେନଡେଡ୍) ହୋଇଯାଇଥିବା ଡାକ୍ତର କହିବା ସହ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ମଧ୍ୟ ଭଲ ହେବାର ଆଶା ନାହିଁ ବୋଲି ମଧ୍ୟ ଡାକ୍ତରମାନେ ଜଣାଇଥିଲେ । ଡାକ୍ତରଖାନାରେ ୪ଦିନ ପଡିରହିବା ପରେ ଚଳିତମାସ ୨ତାରିଖରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ସୁରଜ ।
କିନ୍ତୁ ଆଖିବୁଜିବା ପୂର୍ବରୁ ସୁରତର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ବାପାମାଆଙ୍କୁ ଅଙ୍ଗଦାନ ପାଇଁ ବୁଝାଇଥିଲେ ଆଉ ପରିବାର ଲୋକଙ୍କ ସହମତିରେ ସୁରଜଙ୍କ ଶରୀରରୁ ଚକ୍ଷୁ, କିଡନୀ, ହୃତପିଣ୍ଡ ଓ ଲିଭର ଆଦି ଅଙ୍ଗପ୍ରତ୍ୟଙ୍ଗ କଢାଯାଇ ୬ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ତେବେ ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ମହତ କାମ କରିଛନ୍ତି ସୁରଜ । ଯେଉଁ ପୁଅ ଦିନେ ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣିପାରୁଥିଲା, ମୃତ୍ୟୁ ପରେ ବି ସେ ଜିତିଗଲା ସବୁଦିନ ପାଇଁ । ବାସ୍ତବରେ ସୁରଜ ସଶରୀରରେ ନାହାନ୍ତି ସତ; ହେଲେ ସେ କାହା ଶରୀରରେ ହୃତପିଣ୍ଡ, ଲିଭର, କିଡନୀ ହୋଇ ବଞ୍ଚିଛନ୍ତି ତ ପୁଣି କାହାକୁ ଆଖି ଦୁଇଟି ଦାନ କରି ସେମାନଙ୍କ ଅନ୍ଧାର ଦୁନିଆରେ ଭରିଦେଇଛନ୍ତି ସୁନ୍ଦର ଏହି ଦୁନିଆର ଆଲୋକ ।

LEAVE A REPLY

Please enter your comment!
Please enter your name here