ସୂର୍ଯ୍ୟପରାଗ କେଉଁ ଜାଗାରେ ଦୃଶ୍ୟ ହେବ ଓ ଏହାର କି ପ୍ରକାର ଜ୍ୟୋତିଷ ଓ ବୈଜ୍ଞାନିକ ମତ ରହିଛି ଆସନ୍ତୁ ଜାଣିବା କିଛି ସେ ବିଷୟରେ

0
1036
୨୬.୧୨.୨୦୧୯ରେ ବର୍ଷର ଶେଷ ସୂର୍ଯ୍ୟପରାଗ ହେବ; ଏହା କେତୁଗ୍ରସ୍ତ କଙ୍କଣାକୃତି ଆଂଶିକ ସୂର୍ଯ୍ୟପରାଗ; ଏହି ସୂର୍ଯ୍ୟପରାଗ ପ୍ରଥମେ ଆରବ ଦେଶ କାତାର, ୟୁଏଇ ଓ ଓମାନରେ ଦୃଶ୍ୟମାନ ହେବ; ଭାରତରେ ପ୍ରଥମେ କେରଳର ଚେରୁଭାତୁର ନାମକ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ; ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦେଖାଯିବାର ଭିନ୍ନ ଭିନ୍ନ ସମୟ ରହିଛି; ପୁରୀରେ ଦିବା ୮ ଟା ୧୯ ମିନିଟ ୨୦ ସେକେଣ୍ଡରେ, ଭୁବନେସ୍ଵରରେ ଦିବା ୮ଟା ୧୯ ମିନିଟ୍ ୪୮ ସେକେଣ୍ଡରେ, କଟକରେ ଦିବା ୮ଟା ୨୦ ମିନିଟ ୧ ସେକେଣ୍ଡରେ, ବ୍ରହ୍ମପୁରରେ ଦିବା ୮ଟା ୧୭ ମିନିଟ ୧୫ ସେକେଣ୍ଡରେ ଓ ସମ୍ବଲପୁରରେ ଦିବା ୮ଟା ୧୮ ମିନିଟ ୧୯ ସେକେଣ୍ଡରେ ପରାଗ ଦେଖାଯିବ; ଦିବା ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ଏହା ସର୍ବମୋକ୍ଷ ହେବ; ଗ୍ରହଣର ସର୍ବମୋଟ ସ୍ଥିତିକାଲ ହେଉଛି ୩ ଘଣ୍ଟା ୮ ରୁ ୧୦ ମିନିଟ; ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ୨୪.୧୨.୨୦୧୯ରୁ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ ହେବ; କିନ୍ତୁ ବାଳକ, ରୋଗୀ, ବୃଦ୍ଧଙ୍କ ନିୟମ ଲଂଘନୀୟ ଅଟେ; ପରାଗ ସମୟରେ ଗର୍ଭବତୀ ନାରୀ କୋଳରେ ନଡ଼ିଆ ରଖି ଶ୍ରୀବିଷ୍ଣୁଙ୍କ ସ୍ମରଣ କଲେ ପରାଗର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିବ ନାହିଁ; ଗ୍ରହ ସର୍ବମୋକ୍ଷ ପରେ ଅର୍ଥାତ ଦିବା ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡ ପରେ ସ୍ନାନାଦି ସାରି ଦେବନୀତି ଓ ପାକକର୍ମ କରାଯାଇପାରିବ; ସୂର୍ଯ୍ୟପରାଗ ପାଇଁ ରାତିରେ ମହାପ୍ରଭୁଙ୍କର ପହୁଡ଼ ହେବନାହିଁ ଅର୍ଥାତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ବଉଳ ଅମାବାସ୍ୟା ହେତୁ ସ୍ୱତନ୍ତ୍ର ନୀତି ମଧ୍ୟ ଶ୍ରୀମନ୍ଦିରରେ ପାଳନ କରାଯିବ
ଜ୍ୟୋତିଷ ଶାସ୍ତ୍ର ଓ ଗ୍ରହ ନକ୍ଷତ୍ର ଗଣନାକୁ ନେଇ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ନିର୍ଘଣ୍ଟ ହୋଇଥାଏ; ଏହି ସୂର୍ଯ୍ୟପରାଗ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଗ୍ରହ ଗ୍ରାସ କରିବାରୁ କେତୁଗ୍ରସ୍ତ ସୂର୍ଯ୍ୟପରାଗ ବୋଲି ଆଖ୍ୟା ଦିଆଯାଇଛି; ତେଣୁ ଏହାକୁ ପାଳନ କରିବା ଆବଶ୍ୟକ ବୋଲି ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ରହିଛି; ଏହି ସମୟରେ ଯଦି ଗୁପ୍ତପୁଜା, କିଛି ଅମୋଘ ମନ୍ତ୍ର ତଥା ରାହୁ କେତୁ ବୀଜ ମନ୍ତ୍ର ଜପ କରାଯାଏ, ତେବେ ଏହାର ଫଳ ୨ ବା ୩ ଗୁଣିତ ହୋଇ ମିଳିଥାଏ; ପୌଷ ଅମାବାସ୍ୟା ବା ବଉଳ ଅମାବାସ୍ୟା ହେତୁ ପୁରୀ ମହୋଦଧି, ବିନ୍ଦୁସାଗର, ବୈତରଣୀ, କୁରୁକ୍ଷେତ୍ର, ପୁଷ୍କର ଆଦି ପବିତ୍ର ତୀର୍ଥସ୍ଥାନରେ ସ୍ନାନକରି ଦାନଧର୍ମ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ; ପରାଗ ସର୍ବମୋକ୍ଷ ପରେ ପୂଜା କରୁଥିବା କଳସ ପାଣି ବଦଳେଇ ଦେଇ ଗୃହକୁ ଗଙ୍ଗାଜଳରେ ଶୋଧନ କରିବା ଆବଶ୍ୟକ; ବ୍ୟବହାର କରୁଥିବା ପିଇବା ପାଣି, କ୍ଷୀରରେ ତୁଳସୀ ପତ୍ର ପକେଇଲେ ଏହା ଅଶୁଦ୍ଧ ହୋଇନଥାଏ; ମିଥୁନ, କର୍କଟ, ତୁଳା, ଧନୁ ଓ କୁମ୍ଭ ରାଶି ମାନେ ଗ୍ରହଣ ଦର୍ଶନ କଲେ ଶୁଭପ୍ରଦ
ବୈଜ୍ଞାନିକ ମତ ଅନୁସାରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବାରୁ ଛାୟା ସୃଷ୍ଟି ହୁଏ, ତେଣୁ ଆମେ ସୂର୍ଯ୍ୟଙ୍କୁ ଅଧା ଦେଖିପାରିଥାଉ; ଯାହାକୁ ସୂର୍ଯ୍ୟପରାଗ କୁହାଯାଏ; ଏହା ଛାଇଆଲୁଅର ଖେଳ; ତେଣୁ ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ଉପଭୋଗ କରିବା ପାଇଁ ଭୁବନେଶ୍ୱର ପଠାଣି ସମାନ୍ତ ପ୍ଲାନେଟାରିୟମ ପକ୍ଷରୁ ଟେଲିସ୍କୋପ୍‌ ମାଧ୍ୟମରେ କିପରି ଏକାଥରେ ଶତାଧିକ ଲୋକ ଗ୍ୟାଲେରୀରେ ବସି ସୂର୍ଯ୍ୟପରାଗ ଦେଖିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି; ଦିବା ୯ଟା ୪୬ ମିନିଟ୍‌ ୭ ସେକେଣ୍ଡରେ ଗ୍ରହଣର ମଧ୍ୟ କାଳ ଥିବାରୁ ପରାଗ ସବୁଠାରୁ ସେଇ ସମୟରେ ଭଲ ଭାବେ ଦେଖାଯିବ; ସିଧାସଳଖ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି; ଟେଲିସ୍କୋପରୁ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି; ଦର୍ଶକଙ୍କ ପାଇଁ ମାଇଲାର ସିଟ୍‌ ମଧ୍ୟ ରଖାଯାଇଛି; ଯାହାଦ୍ୱାରା ଏକକାଳୀନ ୫୦ ଜଣ ଲୋକ ଦେଖିପାରିବେ; ସେହିପରି ସୋଲାର ସ୍ପେକ୍ ମାଧ୍ୟମରେ ସମସ୍ତେ ସୂର୍ଯ୍ୟପରାଗ ଦେଖିପାରିବେ; ଯାହାକୁ କିଣିବାକୁ ପଡିବ; ପ୍ଲାନେଟାରିୟମ ବ୍ୟତୀତ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍ ଫିଜିକ୍ସ ଓ ବିଜେବି କଲେଜରେ ମଧ୍ୟ ସୂର୍ଯ୍ୟପରାଗ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି; ସୂର୍ଯ୍ୟପରାଗ ପାଇଁ ରାଜ୍ୟ ସରକାର ତରଫରୁ ସମସ୍ତ ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରିଛନ୍ତି; କିନ୍ତୁ ବୈଜ୍ଞାନିକ ମାନେ ଗ୍ରହଣକାଳ ମଧ୍ୟରେ କୌଣସି ପାକତ୍ୟାଗ ଆଦି ନିୟମ ପାଳନ କରିବା ଆବଶ୍ୟକ ନୁହେଁ ବୋଲି ଯୁକ୍ତି କରିଛନ୍ତି
ଏହି ସୂର୍ଯ୍ୟପରାଗ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦୃଶ୍ୟ ହେବ; ଦକ୍ଷିଣ ଭାରତର ବାଙ୍ଗାଲୋର, ଚେନ୍ନାଇର ଅଳ୍ପ କେତେକ ଅଞ୍ଚଳରେ ସୂର୍ଯ୍ୟ ପୂର୍ଣ୍ଣ ଭାବେ (୯୦%) ଆଚ୍ଛାଦିତ ହେବ; ଭାରତର ଅନ୍ୟ ସ୍ଥାନରେ ସୂର୍ଯ୍ୟଙ୍କ ପ୍ରାୟ ୫୫ ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ; ପୋର୍ଟବ୍ଲେୟରରେ ୭୦% ଆଚ୍ଛାଦିତ ହେବ; ତେଣୁ ଏହା ଏକ ବିରଳ ଦୃଶ୍ୟ; ଭାରତ ବ୍ୟତୀତ ଆମେରିକା, ଉତ୍ତରପଶ୍ଚିମ ଅଷ୍ଟ୍ରେଲିଆ, ପୂର୍ବ ଆଫ୍ରିକା, ପୂର୍ବ ୟୁରୋପ, ଏସିଆ ମହାଦେଶ (ଇଣ୍ଡୋନେସିଆ, ଫିଲିପାଇନ୍ସ, ଶ୍ରୀଲଙ୍କାର ଜାଫନା ତ୍ରୀଙ୍କମାଳି), ପ୍ରଶାନ୍ତ ମହାସାଗରରେ କଙ୍କଣାକୃତି ଦୃଶ୍ୟ ହେବ

LEAVE A REPLY

Please enter your comment!
Please enter your name here