ଆଜି ସୋମବତି ଅମାବାସ୍ୟା , ଏହାକୁ ମୌନି ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା ମଧ୍ୟ କୁହାଯାଏ | ଏହି ଅମାବାସ୍ୟା ଧାର୍ମିକ ତଥ୍ୟ ଅନୁଯାୟୀ ସବୁ ଅମାବାସ୍ୟା ଠାରୁ ଗୁରୁତ୍ୱପୂର୍ଣ୍ଣ , ଏଥର ଅମାବସ୍ୟା ଏକ ଅଦ୍ଭୁତ ସଂଯୋଗ କାରଣ ଅର୍ଦ୍ଧ-କୁମ୍ଭ ମେଳା ଚାଲିଥିବା ସହ ସୋମବାର ଅମାବାସ୍ୟା ତିଥି ଅଛି | ତେଣୁ ପ୍ରୟାଗରାଜ ସହ ହରିଦ୍ୱାର, ବାରଣାସୀ, ଗଙ୍ଗାସାଗର, ତ୍ରିବେଣୀ ଘାଟରେ ପବିତ୍ର ସ୍ନାନ ଦ୍ୱାରା ଅକ୍ଷୟ ପୁଣ୍ୟ ମିଳିଥାଏ | ଯଦି କୌଣସି ପବିତ୍ର ଘାଟରେ ସ୍ନାନ କରିପାରୁନାହାନ୍ତି ତେବେ କୌଣସି ନଦୀ ବା ସରୋବରରେ ସ୍ନାନ କରି ଶିବ-ପାର୍ବତୀ ଓ ତୁଳସୀ ପୂଜା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୋଇଥାଏ |
ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ପାଇଁ ଉତ୍ତମ ଦିନ ହିସାବରେ ବିବେଚନା କରାଯାଇଛି | ତା’ ସହ ପିତୃଦୋଷ, କାଳସର୍ପ ଦୋଷ ଖଣ୍ଡନ ପାଇଁ ଉପବାସ ଓ ପୂଜା ମଧ୍ୟ କରାଯାଏ | ଆଜି ତ୍ରିବେଣୀ ଘାଟ ବା କୌଣସି ପବିତ୍ର ନଦୀର ନାମକୁ ସ୍ମରଣ କରି ଗରିବ ବ୍ୟକ୍ତି, ଗରିବ ବ୍ରାହ୍ମଣଙ୍କୁ ଦାନ କରିବା ଦ୍ୱାରା ପାପ କ୍ଷୟ, ବାଧା-ବିଘ୍ନ ଦୂର ହେବା ସହ ଅକ୍ଷୟ ପୁଣ୍ୟ ମିଳିଥାଏ |
ଆଜି ବିବାହିତା ମହିଳାମାନେ ନିଜ ପତିଙ୍କ ଦୀର୍ଘାୟୁ କାମନା କରିବା ସହ ବ୍ରତ ରଖିଥାନ୍ତି | ଏହି ଦିନ ସେମାନେ ଶିବଙ୍କୁ ଆରାଧନା କରିବା ସହ ଅଶ୍ୱସ୍ଥ ବୃକ୍ଷକୁ ପୂଜା କରି ୭ଥର ପରିକ୍ରମା କରନ୍ତି | ଅଶ୍ୱସ୍ଥ ବୃକ୍ଷ ମୂଳରେ ବସି ଶନି ମନ୍ତ୍ର ଜପ କରିବା ଦ୍ୱାରା ବାଧା-ବିଘ୍ନ ଦୂର ହୋଇଥାଏ | ଆଜି ଦିନରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ତୁଳସୀ ପୂଜା କରି ୭ଥର ତୁଳସୀ ବୃକ୍ଷ ପରିକ୍ରମା କରିବା ଦ୍ୱାରା ଦରିଦ୍ରତା ନାଶ ହୁଏ |  ସୋମବତି ଅମାବାସ୍ୟା ବା ମୌନି ଅମାବାସ୍ୟା ଦିନ ମୌନ ବ୍ରତ କରି ସ୍ନାନ ଓ ଯଥାଶକ୍ତି ଦାନ କରିବା ଦ୍ୱାରା ସହସ୍ର ଗୋଦାନ ପୁଣ୍ୟ ପ୍ରାପ୍ତ ହୁଏ |
ଆଜି ବିରଜା କ୍ଷେତ୍ର, ଯାଜପୁରରେ ବିରଜା ମା’ଙ୍କ ଜନ୍ମୋତ୍ସବ ପାଳନ କରାଯାଏ | ମହାନଦୀ ପୀଠରେ ତୁଳସୀପୁରରେ ଥିବା ମୌନି ବାବା ପୀଠରେ ପବିତ୍ର ସ୍ନାନ ଓ ଯଜ୍ଞ ଅନୁଷ୍ଠିତ ହୋଇଥାଏ | ସୁଜାନଗରୀ ପାଟଣା ଅନ୍ତରବେଦି ମଠ ନିକଟରେ କୁଣ୍ଡଳେଶ୍ୱରଙ୍କ ପୀଠରେ ଓ ଜଗତସିଂହପୁର ବାଲିଆ ନିକଟରେ ଚାରିଦିନ ବ୍ୟାପି ଯାତ୍ରା ଅନୁଷ୍ଠିତ ହୋଇଥାଏ | ଆଜି ମଦ, ମତ୍ସ୍ୟମାଂସ ଭକ୍ଷଣ ନିଷେଧ |

LEAVE A REPLY

Please enter your comment!
Please enter your name here