ଯଦି ପୁଲିସ ତା କାମ ଠିକସେ କରିଥାନ୍ତା ହୁଏତ ଆଜି ଏମିତି ଘଟଣା ଘଟି ନଥାନ୍ତା । ପଢନ୍ତୁ ପୁରା ଖବର-  ଘଟଣାଟି ଭଦ୍ରକ ଜିଲ୍ଲାର, ଜଣେ ବିବାହିତ ଯୁବକ ନିଜର ସ୍ତ୍ରୀ ଓ ଗୋଟିଏ ମାତ୍ର ୧୨ ବର୍ଷର ପୁତ୍ର ସନ୍ତାନ ଥିବା ବେଳେ ଅନ୍ୟ ଜଣେ ଯୁବତୀର ପ୍ରେମ ଜାଲରେ ଫସି ନିଜ ପରିବାରକୁ ହଇରାଣ କରି ପ୍ରେମରେ ଅନ୍ଧ ହୋଇ ଶେଷରେ ନିଜେ ହତ୍ୟାର ଶୀକାର ହେଇଛନ୍ତି । ଏହି ଘଟଣା ସମଗ୍ର ଭଦ୍ରକ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁସାରେ, ଭଦ୍ରକ ବନ୍ତଛକ ନିକଟସ୍ଥ ଆଚାର୍ଯ୍ୟନଗର ଅଞ୍ଚଳର କୃଷ୍ଣ ନାୟକଙ୍କ ପୁଅ ୪୩ ବର୍ଷୀୟ ପ୍ରଦୀପ୍ତ ନାୟକ (କୁନା) ବିବାହିତ ପ୍ରଦୀପ୍ତ କିଛି ବର୍ଷ ପୂର୍ବେ ଧାମନଗର ଥାନା ପଛପଟ ମହାନ୍ତିସାହି ଗ୍ରାମର ବାସୁଦେବ ସାହୁଙ୍କ ଝିଅକୁ ପ୍ରେମ କରି ଆସୁଥିଲେ। ଏପରିକି ଦୁଇବର୍ଷ ପୂର୍ବେ ଉଭୟ କୋର୍ଟରେ ଗୋପନରେ ବିବାହ ମଧ୍ୟ କରିଥିଲେ ବୋଲି ପୁଲିସ ସୂତ୍ର ପ୍ରକାଶ କରିଛି । ହେଲେ ସମ୍ପୃକ୍ତା ଯୁବତୀ ପ୍ରଦୀପ୍ତଙ୍କ ଘରେ ନରହି ନିଜ ବାପଘର ମହାନ୍ତିସାହିରେ ରହି ଆସୁଥିଲା । ପ୍ରଦୀପ୍ତ ମଧ୍ୟ ବାରମ୍ବାର ମହାନ୍ତିସାହି ଗ୍ରାମକୁ ଆସି ସ୍ତ୍ରୀ କୁ ଦେଖା କରୁଥିଲା । କିଛି ମାସ ପରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମନାନ୍ତର ହେବାରୁ ସେମାନଙ୍କ ମଧ୍ୟରେ ରାଗରୋଷ ଓ ତିକ୍ତତା ବଢିଥିଲା । ଏପରିକି ପ୍ରଦୀପ୍ତ ଯୁବତୀଙ୍କ ପରିବାର ବର୍ଗକୁ ଧମକଚମକ ଦେବାରୁ ଯୁବତୀ ଓ ତାଙ୍କ ବାପା ଭୟରେ ଘରୁ କେଉଁ ଆଡକୁ ଆଜକୁ ଦୁଇମାସ ହବ ପଳାଇ ଯାଇଛନ୍ତି ।
ଏକଥାରେ ପ୍ରଦୀପ୍ତ ଅଧିକ ଉତକ୍ଷିପ୍ତ ହୋଇ ବାରମ୍ବାର ମହାନ୍ତିସାହି ଗ୍ରାମକୁ ଆସି ଯୁବତୀଙ୍କ ପରିବାରକୁ ଗାଳିଗୁଲଜ ଓ ଧମକଚମକ ଦେଇ ଆସୁଥିଲେ । ପାଂଚ ଦିନ ପୂର୍ବେ ମଧ୍ୟ ମହାନ୍ତିସାହିରେ ପ୍ରଦୀପ୍ତ ପହଞ୍ଚି ତାଙ୍କ ସ୍ତ୍ରୀ କୁଆଡେ ଗଲା କହି ବାସୁଦେବଙ୍କ ପରିବାରକୁ ଗାଳିଗୁଲଜ କରିବା ସହିତ ବିଭିନ୍ନ ଧମକଚମକ ମଧ୍ୟ ଦେଇଥିଲା । ପରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ରେ ପୁଣି ମହାନ୍ତିସାହିରେ ପ୍ରଦୀପ୍ତ ପହଞ୍ଚି ଯୁବତୀଙ୍କ ଭାଇଙ୍କୁ ଗାଳିଗୁଲଜ କରିବା ସହିତ ବାସୁଦେବଙ୍କ ନାତି ଗୌତମଙ୍କ ତଣ୍ଟିକୁ ଚିପି ଧରି ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ, ବାସୁଦେବଙ୍କ ଦୁଇପୁଅ ରାଜକିଶୋର ଓ ସୁରେନ୍ଦ୍ର ଉତକ୍ଷିପ୍ତ ହୋଇ ଏକ ଶାବଳ ଦ୍ୱାରା ପ୍ରଦୀପ୍ତର ମୁଣ୍ଡକୁ ଆଘାତ କରିବାରୁ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ଝରି ଯାଇଥିଲା । ଖବରପାଇ ଧାମନଗର ପୁଲିସ ଘଟଣାସ୍ଥଳେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ପ୍ରଦୀପ୍ତକୁ ଉଦ୍ଧାର କରି ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ବଂଚେଇ ପାରିନଥିଲେ । ଏହି ଘଟଣା ପରେ ପୁଲିସ ରାଜକିଶୋରକୁ ଗିରଫ କରିଥିବା ବେଳେ ସୁରେନ୍ଦ୍ର ଫେରାର ହୋଇଯାଇଛି ।
ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରା ଯାଇଛି । ଆଜି ଅଭିଯୁକ୍ତ ରାଜକିଶୋରକୁ ପୁଲିସ କୋର୍ଟ ଚାଲାଣ କରିଛି । ତେବେ ଦୀର୍ଘଦିନ ଧରି ଏହି ଅସନ୍ତୋଷ ନେଇ ପ୍ରଦୀପ୍ତଙ୍କ ପ୍ରଥମ ସ୍ତ୍ରୀ ପୁଷ୍ପାଞ୍ଜଳି ବାରମ୍ବାର ଧାମନଗର ଥାନାରେ ଅଭିଯୋଗ କରିଥିଲେ, ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନର ମନ୍ଥରତା ଯୋଗୁ ଆଜି ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଲା ବୋଲି ପୁଷ୍ପାଞ୍ଜଳି ଗଣମାଧ୍ୟମକୁ କହିଛନ୍ତି । ଯଦି ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥାନ୍ତା ତେବେ ଏପରି ହତ୍ୟାକାଣ୍ଡକୁ ରୋକା ଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଅଂଚଳବାସୀ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here