ସକାଳୁ ସକାଳୁ ଛକ ପାଖ  ଦୋକାନରେ ଚାହା ପିଉ ପିଉ ରାସ୍ତାରେ ତରବର ହୋଇ ଯାଉଥିବା,  ସହକର୍ମୀ ପରେଶବାବୁ ଙ୍କୁ ଦେଖି ଅଖିଳ ପଚାରିଲା,
– “ସକାଳୁ ସକାଳୁ ଗାଧେଇ ପାଧେଇ ବ୍ୟାଗ ଧରି କୁଆଡେ ବାହାରିଲ ?ଆସୁନ, ଚା କପଟେ ହୋଇଯାଉ।ଆଜି ହେଡ଼ଲାଇନ ଖବର ଉପରେ ଟିକେ ଚର୍ଚା କରନ୍ତେ। “
   ବିରକ୍ତି ଭରା ସ୍ୱରରେ ପରେଶ କହିଲା,
– ଭାଇ,ତମ ଭଳି ଆମେ ଭାଗ୍ୟବାନ ନୋହୁଁ ଯେ ସକାଳୁ ସକାଳୁ ମସ୍ତି କରିବୁ।ସକାଳୁ କାହା ମୁହଁ ଚାହିଁଥିଲି କେଜାଣି ?ହଁ,ଶ୍ରୀମତୀଙ୍କ ମୁଁହ ଦେଖିଛି ଆଜି।”
– ଗୃହଲକ୍ଷ୍ମୀଙ୍କ ମୁହଁ ଦେଖିଛ ଯେତେବେଳେ  ଆଜି ଶୁଭ ହେବ।”
– କି ଶୁଭ ?ଆଜି ଶୁଦଶାବ୍ରତ କରୁଛି ବୋଲି  ସକାଳୁ  ସେ ଆଇନ କାଢ଼ିଲାଣି।ଡେରି ପର୍ଯ୍ୟନ୍ତ ଆଜି ବାସି ବିଛଣାରେ ଶୋଇପାରିବନି ମଣିଷ।ଚଦର ଫୋପାଡ଼ି ଦେଇ ମୋ ମୁହଁରେ ପାଣି ମାରି କହିଲା,ନିତ୍ୟକର୍ମ ସାରି ଗାଧେଇଲା ପରେ ଚାହା ମିଳିବ।ପୂଜା ପାଇଁ ଜିନିଷ ବରାଦ ହୋଇଛି।ଗେଣ୍ଡୁ ଫୁଲ,ଆମ୍ବଡାଳ, ଦୁବ ବରକୋଳି ପତ୍ର,ବ୍ରତ,ଗୁଆ,କଦଳୀ,କ୍ଷୀର ଇତ୍ୟାଦି।କାଲି ରାତିରେ ଅଫିସରୁ ରୀତା ମ୍ୟାଡମଙ୍କ ବାର୍ଥଡେ ପାର୍ଟି ସରିଲା ବେଳକୁ ଡେରି ହୋଇଗଲା ବୋଲି ପୂଜା ସାମଗ୍ରୀ ଆଣିବାକୁ ଭୁଲି ଯାଇଥିଲି।ସେଥିପାଇଁ ଗାଳି।ବାଥରୁମ ରୁ ଗାଧେଇ ଆସିଲା ବେଳେ ଭୁଲରେ ତା ଚିତା ମାଡିଦେଲି ବୋଲି ପୁଣି ଗାଳି।ସକାଳୁ ମୋ ମୁଡ଼ ଖରାପ।”
 ଟିକେ ନିଶ୍ବାସ ନେଇ ପରେଶ ପୁଣି କହିଲା,
– ଯାହା କହ ପଛେ,ଯେତେ ଯାହା କଲେବି ସ୍ତ୍ରୀ ଗୁଡାକ ସବୁବେଳେ ଅଶାନ୍ତି ଓ ସ୍ୱାମୀ ସହିତ କେଟର କେଟର ଲଗାଇଥିବେ।ଅଫିସରେ ଆମ ସହ କାମ କରୁଥିବା ମହିଳା ହୁଅନ୍ତୁ ଅଥବା ଆମେ ସ୍କୁଲ କଲେଜ ପଢିଲା ବେଳେ ଆମ ଝିଅ ବନ୍ଧୁ,ପ୍ରେମିକା କେହି ଏଭଳି ବ୍ୟବହାର ଆମକୁ କରନ୍ତିନି।ମଣିଷର ଦଶା ଖରାପ ପଡିଲେ ସେ ବାହା ହୁଏ।”
  ଚା କପଟେ ପରେଶ ହାତକୁ ବଢ଼ାଇଦେଇ ଅଖିଳ କହିଲା,”କିନ୍ତୁ ଗୋଟାଏ ଅପ୍ରିୟ ସତ କଥା ତୁ ଭୁଲି ଯାଉଛୁ।ସ୍କୁଲ କଲେଜ ବେଳର ଝିଅ ସାଙ୍ଗ,ପ୍ରେମିକା ଅଥବା ଅଫିସର ସହକର୍ମୀ ମହିଳା କେହି ଆମ ମଙ୍ଗଳ ମନାସି,ଆମକୁ ଦୀର୍ଘଜୀବି କରି ସବୁ ଅସୁବିଧାରୁ ଆମକୁ ରକ୍ଷା କରିବାକୁ ବ୍ରତ ଓପାସ କରନ୍ତିନି।କେବଳ ଆମ ସ୍ତ୍ରୀ ହିଁ ଆମ ଖରାପ ଦଶା ଦୁର କରିବାକୁ ସୁଦଶାବ୍ରତ କରେ।ମିଠା ଗାଳି ଟିକେ ଦେଉ ପଛେ,ସେ ହିଁ ଆମ ଶୁଭଦଶା।”
    ଏକାସାଙ୍ଗରେ ଦୁଇ ବନ୍ଧୁ ହସି ଉଠିଲେ।

LEAVE A REPLY

Please enter your comment!
Please enter your name here