ଆଉ ଜଣେ ଦେବଦାସ୍

ମୁଁ ଆଉ ମୋ ସାଙ୍ଗମାନେ ମିଶି ହଷ୍ଟେଲ ରେ ରହୁଥିଲୁ | ସବୁ ଦିନ ପରି ଜଲଦି ଜଲଦି ଉଠିକି କଲେଜ୍ ବାହାରିଥିଲୁ, କିନ୍ତୁ ସେଦିନ କଲେଜ୍ ଯିବାକୁ ମନ ଭାରି ଖୁସି ଥିଲା | ସେଦିନ କଲେଜ୍ ରେ ପାଠ ପଢିବାର ଇଚ୍ଛା କାହିଁ କାହା ପାଖରେ ଦେଖିବାକୁ ମିଳୁନଥିଲା, କାହିଁକି ନା ସମସ୍ତେ ଜାଣିଥିଲେ ଆଜି ଦଶହରା ଛୁଟି ଘୋଷଣା କରାଯିବ | ସେଥିଲାଗି ପାଠ ପଢା ଠାରୁ ଗପିବା ରେ ପିଲାଙ୍କର ଭାରି ଇଚ୍ଛା ଥିଲା | ଆଉ ହଁ ସେଦିନ କଲେଜ୍ ରେ ଯୋଉ ପିଲା ଟିକେ ପାଟିକଲେ ମାଡାମ୍ କ୍ଲାସ ରୁ ବାହାର କରିଦେଉଥିଲେ ସେ ବି ଚୁପ୍ ଚାପ୍ ଥିଲେ ପିଲାଙ୍କୁ କିଛି କହୁନଥିଲେ | ମଝିରେ ମଝିରେ ଖାଲି କହୁଥିଲେ ଆରେ ଟିକେ ଆସ୍ତେ କଥା ହୁଅ କୋଉଠି ଏତେ ସବୁ କଥା ରଖିଥିଲ? ପିଲା ଟିକେ ସମୟ ଚୁପ୍ ରହୁଥିଲେ ପୁଣି ଯୋଉ କଥା କୁ ସେଇକଥା | କଲେଜ୍ ଛୁଟି ପରେ ରୁମ୍ କୁ ଆସି ଲାଗିପଡ଼ିଲି ପ୍ୟାକିଂରେ | ଭାଇ ଆସିଲେ ମାମୁଁ ଘରକୁ ଯିବି |
ବହୁତ ଦିନ ପରେ ମାମୁଁ ଘରକୁ ଯିବି ବୋଲି ଖୁସିଥିଲି | ଭାଇ ଆସିଗଲେ ହଷ୍ଟେଲ୍ ପାଖକୁ ମୁଁ ଆଉ ଡେରି ନକରି ଚାଲିଗଲି ମାମୁଁ ଘର | ମାମୁଁ ଘରେ ଭାଇ ଭଉଣୀଙ୍କ ସହ ସମୟ କେତେ ବେଳେ ଯାଉଥିଲା ଜଣା ପଡୁନଥିଲା | ମୁଁ ସବୁ ଦିନ ସନ୍ଧ୍ୟା ରେ ଛାତ ଉପରେ ବୁଲୁଥିଲି | ପ୍ରତିଦିନ ଦେଖୁଥିଲି ପାଖରେ ଥିବା ଗୋଟେ ଗଛମୂଳ ରେ ପିଲା ମାନେ ବସିବା ପାଇଁ ସିମେଣ୍ଟ ରେ ଚେୟାର ପରି କରିଥିବା ଗୋଟେ ଜାଗା ରେ ଜଣେ ସବୁଦିନ ମଦ ଆଣି ପିଉଥିଲା | ପ୍ରଥମେ ପ୍ରଥମେ ତ ବହୁତ ରାଗ ଲାଗୁଥିଲା, ଭାବୁଥିଲି ଏ ଲୋକ ର କଣ କିଛି କାମ ନାହିଁ ମଦ ପିଉଛି | ଆ ଘରଲୋକ କିଛି କହୁନାହାନ୍ତି? ଏମିତି ବହୁତ କଥା ମୁଣ୍ଡରେ ଆସେ | କିନ୍ତୁ ସେ ଲୋକ କୁ ଯେବେ ଦିନ ରେ ଦେଖେ ବହୁତ ଚୁପଚାପ୍ ଆଉ ଭଦ୍ର ଲାଗେ | ଏମିତି ଭିତରେ ମୋ ଛୁଟି ସରି ଆସିଥିଲା ରାତି ପାହିଲେ ହଷ୍ଟେଲ୍ ଯିବି |
ସେଦିନ ସନ୍ଧ୍ୟା ରେ ମୁଁ ଆଉ ମୋ ମାମୁଁଙ୍କ  ଝିଅ ଛାତ ରେ ବସିଥିଲୁ ହଠାତ୍ କାଇଁ କେଜାଣି ଅପାକୁ ପଚାରିଲି ଏ ଲୋକ ର କଣ ଘର ଲୋକ କେହି ନାହାଁନ୍ତି? କେହି କିଛି କହୁନାହାନ୍ତି ସବୁଦିନ ମଦ ପିଉଛି | ଅପା କହିଲା ନାରେ ସମସ୍ତେ ଅଛନ୍ତି କିନ୍ତୁ ଥାଇ ନଥିଲା ପରି | ମୁଁ ଆଗ୍ରହ ର ସହକାରେ ପଚାରିଲି କାଇଁ କଣ ହେଲା କି? ଅପା କହିଲା ଇଏ ହେଉଛି ମଳୟ | ବହୁତ ଭଲ ପାଠ ପଢ଼େ ଆଉ ଭଲ ପିଲାଟା ବି | ମୋନାଲିସା ବୋଲି ଗୋଟେ ଝିଅକୁ ତା କଲେଜ୍ ଟାଇମ ରୁ ଭଲ ପାଉଥିଲା | ଦୁହେଁ ଏକାଠି ଚାକିରି ବି କରୁଥିଲେ | ଦୁଇ ଜଣ ବହୁତ ଖୁସି ଥିଲେ | ତାଙ୍କ ଭଲ ପାଇବା ୯ ବର୍ଷର ହେଇ ଯାଇଥିଲା | ମୋନାଲିସା ର ବାହାଘର ଦେଖା ହେବାରୁ ମଳୟ ଆଉ ଡେରି ନ କରି ଘରେ ସବୁ କଥା କହିଥିଲା କିନ୍ତୁ ଘର ଲୋକ ସବୁ ଶୁଣିବା ପରେ ସଫା ସଫା ମନା କରିଦେଲେ ନା ସେ ଝିଅ କୁ ଆମେ ବୋହୂ କରିବୁନି | ସେ ଝିଅ ଦେଖିବାକୁ ସୁନ୍ଦର ଆଉ ପାଠ ପଢି ଚାକିରି ବି କରିଥିଲା | ତାହାଲେ ଘର ଲୋକ ରାଜି ହେଲେନି କଣ ପାଇଁ? ମୁଁ ପଚାରି ଦେଲି ଅପାକୁ ଆଉ ଅପା ଯାହା କହିଲା ଶୁଣିକି ଆଶ୍ଚର୍ଯ | ମଳୟ ର ବାପା ମା ମୋନାଲିସା କୁ ବୋହୂ ବୋଲି ଗ୍ରହଣ ନ କରିବାର କାରଣ ହେଲା ଜାତି |
ମଳୟ ଥିଲା କରଣ ଜମିଦାର୍ ପରିବାର ର ପୁଅ ଆଉ ମୋନାଲିସା ଥିଲା ଖଣ୍ଡାୟତ ଘର ର ଝିଅ | ସେଥିଲାଗି ବାପା ମା ମନା କରିଦେଇଥିଲେ ବାହାଘର ପାଇଁ | ଜାତି, ଧର୍ମ, ବଂଶ ଆଭିଜାତ୍ୟ ଆଗରେ କିଛି ବି ମୂଲ୍ୟ ନଥିଲା ପୁଅ ର ଭଲ ପାଇବା ତା ଖୁସୀ | ମଳୟ ର ଘର ଲୋକ କହିଥିଲେ ତୁ ଯଦି ସେ ଝିଅ କୁ ବାହା ହେବୁ ତାହାଲେ ଏ ଘରକୁ ଆସିବୁନି | ମୋନାଲିସା ଯେବେ ଶୁଣିଥିଲା ଏସବୁ ଘଟଣା ସେ ବି କହିଥିଲା ନା ମୁଁ ଚାହୁଁନି ତମକୁ ତମ ପରିବାର ଠାରୁ ଅଲଗା କରିବାକୁ | ତମେ ଖୁସୀ ରେ ଘର ଲୋକଙ୍କ ସହ ରୁହ | ମୋନାଲିସା ବୁଝି ଥିଲା ଗୋଟେ ପରିବାର ପାଇଁ ଆଉ ବାପା ମା ଙ୍କ ପାଇଁ ପୁଅ କେତେ ଜରୁରୀ | ମନରେ ଭଲ ପାଇବା ଥିଲେ ବି ମୋନାଲିସା ରାଣ ପକେଇ ଥିଲା ତାକୁ ଭୂଲି ଯିବା ପାଇଁ | ଦୁଇ ଜଣ ତ ଅଲଗା ହେଇ ଗଲେ କିନ୍ତୁ ସେବେଠୁ ମଳୟ ଭଲ ପାଇ ଗଲା ମଦ କୁ ସବୁଦିନ ଅଫିସ ରୁ ଫେରିବା ପରେ ଏଠି ମଦ ପିଏ | ମୁଁ ପଚାରିଲି ଆଉ ମୋନାଲିସା ର କଣ ହେଲା ଜାଣିଛୁ କି ଅପା?
ସେ କହିଲା ହଁ କିନ୍ତୁ ସେ କିଛି କହିବା ପୂର୍ବରୁ ଭାଇ ଆସି ଯାଇଥିଲେ ଆମ ପାଖକୁ କହିଲେ ଆସେ କାଲି ତ ପଳେଇବୁ ମିଶିକି ଲୁଡୁ ଖେଳିବା | ଖାଇବା ପିଇବା ସାରି ଲୁଡୁ ଖେଳିଲୁ ଭାଇ ଭଉଣୀ | ସକାଳୁ ଉଠି ହଷ୍ଟେଲ୍ ଆସିବା ପାଇଁ ବାହାରିଲା ବେଳକୁ ଅପାକୁ କହିଲି ଅପା ମୋନାଲିସା କଥା ରହିଗଲା ଅପା ଟିକେ ହସିକି କହିଲା ତୁ ଏଥର ଯା ଖରାଛୁଟି ରେ ଆସିଲେ ମୋନାଲିସା କଥା କହିବି | ଭାଇ ଙ୍କ ସହ ଫେରିଲା ବେଳେ ଭାବୁ ଥିଲି ସତରେ କଣ ଆଜିକାଲି କା ଯୁଗ ରେ ଏମିତି ମୂର୍ଖ ଲୋକ ଅଛନ୍ତି ପିଲାଙ୍କ ଖୁସୀ ଠାରୁ ବଂଶ ଆଭିଜାତ୍ୟ ଏତେ ମୂଲ୍ୟବାନ…?? ଆଉ ଯାହାକୁ ଭାବୁଥିଲି ଗୋଟେ ମଦୁଆ ବୋଲି ସେ ମଦୁଆ ନଥିଲା, ଥିଲା ଗୋଟେ ପରିବାର ପାଇଁ ପ୍ରେମ ରେ ହାରି ଯାଇଥିବା “ଆଉ ଜଣେ ଦେବଦାସ୍…..”
 ‘ଭକ୍ତିମୟୀ’
ମୋ ଲେଖା ପଢି ଥିବାରୁ ଧନ୍ୟବାଦ୍. ଆପଣଙ୍କୁ ଯଦି ମୋ ଲେଖା ପସନ୍ଦ ଆସିଛି ଦୟାକରି ଲାଇକ, କମେଣ୍ଟ ଆଉ ଶେୟାର କରନ୍ତୁ..

LEAVE A REPLY

Please enter your comment!
Please enter your name here