ଶୁକୁରା ଗୋଟେ ସପ୍ତାହ ରାମବାବୁ ଙ୍କ ଘରେ କାମ କରେ। କେବେ କେବେ ରାମବାବୁ ଙ୍କ ଘରୁ ଜୋର୍ ରେ ପାଟି ଶୁଭେ। ରାମବାବୁ ଶୁକୁରା କୁ କିଛି କହି ଗାଳି ଦେଉଥିବାର  ଶୁଭେ। ରାମବାବୁ ଙ୍କ ପଡ଼ୋଶୀ ସତ୍ୟବାବୁ ଗାଳି ଗୁଡ଼ିକ ଶୁଣି ନପାରୁଥିଲେ ମଧ୍ୟ ଏତେ ଶବ୍ଦ ରେ ବିରକ୍ତ ହୁଅନ୍ତି। ଶୁକୁରା ପ୍ରତି ଦୟା ଭାବ ଆସେ ଆଉ ରାମବାବୁ ଙ୍କ ପ୍ରତି କ୍ରୋଧ।
ଗୋଟେ ସପ୍ତାହ ପରେ ରାମବାବୁ ସପରିବାର ବନ୍ଧୁ ଘର କୁ କୌଣସି କାର୍ଯ୍ୟବସତ ଯାଆନ୍ତେ, ଶୁକୁରା ମିଶ୍ରବାବୁ ଙ୍କ ଘରେ କାମ କରେ। ମିଶ୍ର ବାବୁ ମଧ୍ୟ ସତ୍ୟ ବାବୁ ଙ୍କ ପଡ଼ୋଶୀ। ମିଶ୍ର ବାବୁ ଙ୍କ ଘରୁ କିନ୍ତୁ କେବେ କୌଣସି ଗାଳି କିମ୍ବା ଜୋର୍ ପାଟି ତୁଣ୍ଡ ଶୁଭେ ନାହିଁ। କେବେ କେମିତି ଧୀରେ ଧୀରେ ମିଶ୍ର ବାବୁ ଅତି ନରମ ଗଳା ରେ ଶୁକୁରା କୁ କିଛି କହୁଥିବାର ଶୁଣିବାକୁ ମିଳେ। ସତ୍ୟ ବାବୁ ଶୁକୁରା କୁ ଭଲ ମାଲିକ ମିଳିଗଲେ ଭାବି ଆଶ୍ୱସ୍ତ ହୁଅନ୍ତି।
ରାମ ବାବୁ ବନ୍ଧୁ ଙ୍କ ଘରୁ ଫେରିବା ପରେ ପୁଣି ଶୁକୁରା କୁ କାମ କରିବା ପାଇଁ ଡାକନ୍ତି। ମିଶ୍ର ବାବୁ ମଧ୍ୟ ଶୁକୁରା କୁ ନିଜ ଘରେ କାମ କରିବା ପାଇଁ ପ୍ରବର୍ତ୍ତାନ୍ତି। ଦୁହିଁଙ୍କ ଘରେ ସମାନ ଦରମା ଦେଉଥିଲେ ମଧ୍ୟ ଶୁକୁରା ରାମ ବାବୁ ଙ୍କ ଘରେ କାମ କରିବାକୁ ରାଜି ହେଇଯାଏ।
ସତ୍ୟ ବାବୁ ଏ କଥା ଶୁଣି ବହୁତ୍ ଆଶ୍ଚର୍ଯ୍ୟ ହୁଅନ୍ତି ଆଉ ନିଜର ସନ୍ଦେହ ମୋଚନ ପାଇଁ ଦିନେ ଏକାନ୍ତ ରେ ଶୁକୁରା କୁ ଡାକି ପଚାରନ୍ତି, “ଆରେ ଶୁକୁରା, ତୋତେ ରାମ ବାବୁ ଏଡ଼େ ବଡ ପାଟି ରେ ସବୁବେଳେ ଗାଳି କରନ୍ତି ଅଥଚ ମିଶ୍ର ବାବୁ ସବୁବେଳେ ଧୀର ନରମ ଗଳା ରେ କେତେ ସ୍ନେହ ରେ କଥା ହୁଅନ୍ତି।ତା ସତ୍ତ୍ୱେ ବି ତୁ ରାମ ବାବୁ ଙ୍କ ଘରେ କାମ କରିବାର କାରଣ କଣ? “
ଆସ୍ତେ ହସିଦେଇ ଶୁକୁରା କହିଲା, “ଯେତେବେଳେ ମୁଁ ମିଶ୍ର ବାବୁ ଙ୍କ ଘରେ କାମ କରୁଥାଏ, ସେତେବେଳେ ଦ୍ଵିପହର ଖାଇବା ସମୟ ଗଡ଼ି ଯାଇଥିଲେ ମଧ୍ୟ ସେ ମୋତେ ଆଉ ଟିକେ କାମ କରିସାରିବା ପରେ ଖାଇବୁ ବୋଲି ଅତି ଧୀର ଆଉ ନରମ ସ୍ୱରରେ କହନ୍ତି। କିନ୍ତୁ ରାମ ବାବୁ ସବୁବେଳେ ମୋତେ ଆଗ ଖାଇ ସାରି ଟିକେ ବିଶ୍ରାମ ନେଇ, ତା ପରେ ଯାଇ କାମ କରିବା ପାଇଁ କହନ୍ତି। ମୁଁ ଯଦି ତାଙ୍କ କଥା ନ ମାନି କେବେ ନ ଖାଇ ଅଧିକ ସମୟ ଯାଏଁ କାମ କରେ ସେ ମୋ ଉପରେ ବିରକ୍ତ ହୁଅନ୍ତି। ଆଉ ସତ କହିବାକୁ ଗଲେ ତାଙ୍କର ଏ ବିରକ୍ତି ପଛରେ ମୋ ପ୍ରତି ଥିବା ଭଲ ପାଇବା ଆଉ ଚିନ୍ତା ମୋତେ ବହୁତ୍ ଭଲ ଲାଗେ।”

LEAVE A REPLY

Please enter your comment!
Please enter your name here