ଆଜି ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ | ଆଜି ଦିନରେ ଦେବୀ ସରସ୍ୱତୀଙ୍କୁ ବିଶେଷ ରୂପେ ପୂଜା ଅର୍ଚ୍ଚନା କରାଯାଏ | ଏହିଦିନ ଠାରୁ ବସନ୍ତ ଋତୁର ଆଗମନ ମଧ୍ୟ ହୋଇଥାଏ | ସବୁ ୬ଟି ଋତୁ ମଧ୍ୟରୁ ବସନ୍ତ ଋତୁ ମୁଖ୍ୟ ଋତୁ ହୋଇଥାଏ | ଏହି ଋତୁରେ କୋଇଲିର ସୁନ୍ଦର ରାବ ସହ ମନକୁ ମୋହି ନେଲା ଭଳି ରଙ୍ଗ-ବିରଙ୍ଗ ଫୁଲ ଫୁଟିବା ସହ ଶୋରିସ ଫୁଲ କ୍ଷେତରେ ଫୁଟିଥାଏ |
ଆଜି ମା’ ସରସ୍ୱତୀଙ୍କ ଜନ୍ମଉତ୍ସବ ପାଳନ କରାଯାଏ | ଏହି ଦିନ ମା’ଙ୍କୁ କେଶର-ଚନ୍ଦନ-ହଳଦୀରେ ସ୍ନାନ କରେଇ ବିଧିପୂର୍ବକ ପୂଜା କରି ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ | ମା’ଙ୍କ ଚରଣରେ ଫଗୁ ଅର୍ପଣ କରିବା ସହ ଶୃଙ୍ଗାର ଦ୍ରବ୍ୟ ଚୁଡ଼ି, ସିନ୍ଦୁର, ଲେଖନୀ ମଧ୍ୟ ଅର୍ପଣ କରନ୍ତୁ | ଶ୍ୱେତ-ବସ୍ତ୍ର ମା’ଙ୍କୁ ପିନ୍ଧନ୍ତୁ | ନୈବେଦ୍ୟ ରୂପେ ହଳଦିଆ ଫଳ, ବୁନ୍ଦି, ଖିରି, ମାଲପୁଆ ଅର୍ପଣ କରନ୍ତୁ | ଆଜି ଶ୍ରୀପଞ୍ଚମୀରେ ମା’ଙ୍କୁ ଉପାସନା କଲେ ବିଦ୍ୟା-ବୁଦ୍ଧି ପ୍ରାପ୍ତି ହୋଇଥାଏ | ଆଜି “ଓଁ ଶ୍ରୀଂ ସରସ୍ୱତୟେ ନମଃ ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ | ଆଜି ମା’ଙ୍କ ପାଖେ ଲେଖିବା ପାଇଁ କଲମ ପୂଜା କରି ନିଜେ ବ୍ୟବହାର କଲେ ବିଦ୍ୟା, ବୁଦ୍ଧିରେ ଉନ୍ନତି ହୋଇଥାଏ | ବିଶେଷ କରି ବିଦ୍ୟାର୍ଥୀ ମାନେ ଆଜି ଦିନରେ ମା’ଙ୍କୁ ଉପଯୁକ୍ତ ଉପାସନା କଲେ ବିଦ୍ୟାରେ ଉନ୍ନତି-ପ୍ରଗତି ପରିଲକ୍ଷିତ ହୋଇଥାଏ |
ଏହିଦିନ ମା’ ସରସ୍ୱତୀଙ୍କୁ ପୂଜା କରିବା ସହ କାମଦେବଙ୍କୁ ମଧ୍ୟ ଉପାସନା କରାଯାଏ | ୨ ରୁ ୧୦ ବର୍ଷ କନ୍ୟାଙ୍କୁ ବିଧିପୂର୍ବକ କନ୍ୟା-ପୂଜନ କରି କେଶର ମିଶେଇ ଅନ୍ନ ପ୍ରସ୍ତୁତ କରି ଭୋଜନ କରାଇଲେ ମା’ ଙ୍କ ଅଶେଷ କୃପା ମିଳିଥାଏ | ହଳଦିଆ ବସ୍ତ୍ର ଓ ଆଭୂଷଣ କୁମାରୀ କନ୍ୟା, ଗରିବ ବ୍ୟକ୍ତିଙ୍କୁ ଦାନ କଲେ ପରିବାରରେ ଜ୍ଞାନ, କଳା, ସୁଖ-ଶାନ୍ତି ଅନୁଭୂତ ହୋଇଥାଏ | ଆଜି ଦିନରେ ଶିବଲିଙ୍ଗରେ ହଳଦିଆ ପୁଷ୍ପ ଚଢେଇ ପୂଜା କଲେ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ | ଶ୍ରୀପଞ୍ଚମୀ ଦିନଟି ଶୁଭ ଦିନ ହୋଇଥିବାରୁ ବିବାହପାଣିଗ୍ରହଣ, ଗୃହପ୍ରବେଶ, ନୂତନ ସଂସ୍ଥା ଉଦଘାଟନ, ନୂତନ ବ୍ୟବସାୟ ଆରମ୍ଭ ଇତ୍ୟାଦି ଶୁଭ କାର୍ଯ୍ୟ ପ୍ରାରମ୍ଭ କରାଯାଇଥାଏ |

LEAVE A REPLY

Please enter your comment!
Please enter your name here