ପାଞ୍ଚ ବର୍ଷର ଭଲ ପାଇବାକୁ ଜଳାଞ୍ଜଳି ଦେଇ ସ୍ନେହା ରାଜି ହେଇ ଯାଇଥିଲା ବାପା ମାଆଙ୍କ କଥାରେ ବାହା ହବା ପାଇଁ ଯାହାକୁ ତା ବାପା ମାଆ ଠିକ୍ କରିଛନ୍ତି । ପିଲାଟା ସରକାରୀ ଚାକିରୀ କରିଛି ବ୍ୟାଙ୍କ୍ ରେ ।

ଆଜିକୁ ପ୍ରାୟ ଏଗାର ବର୍ଷ ବିତିଗଲାଣି ସ୍ନେହାର ଦୁଇଟା ଛୁଆ ହେଇ ସାରିଲେଣି । ପରିବାର ତ ଚାଲିଛି କିନ୍ତୁ ସ୍ନେହା ଆଉ ତା ସ୍ବାମୀ ଭିତରେ କିଛି ଭଲ ସମ୍ପର୍କ ନାହିଁ ମୋଟାମୋଟି କହିବାକୁ ଗଲେ ସ୍ନେହା ର ସ୍ବାମୀ ଆଜିଯାଏ ବି ବଞ୍ଚିତ ସ୍ନେହା ର ସ୍ନେହ ଟିକିଏ ପାଇଁ । ସ୍ନେହା ମନରେ ଆଜି ବି ଘର କରି ବସିଛି ସଂଗ୍ରାମ ର ଭଲ ପାଇବା । ସେ ସିନା ବାପା ମାଆଙ୍କ କଥାରେ ରାଜି ହେଇ ଯାଇଥିଲା କିନ୍ତୁ ନିଜ ମନରୁ କେବେ ଦୂରେଇ ପାରୁ ନଥିଲା ସଂଗ୍ରାମକୁ । ବିଚରା ସ୍ବାମୀ ର ଦୋଷ କଣ ଥିଲା ଯାହାକି ଏ ଦୁଇ ଜଣଙ୍କ ପ୍ରେମ ପାଇଁ ନିଜ ଜୀବନକୁ ବଳି ପକେଇ ଦେଇଥିଲା । ସ୍ନେହା ର ସ୍ବାମୀ ବହୁତ ଭଲ କୌଣସି ମନ୍ଦାଭ୍ୟାସ ନଥିଲା ନା ସେ ପାଠ ଛଡ଼ା ପୂର୍ବରୁ କେବେ କାହାକୁ ଭଲ ପାଇଥିଲା । ସେ ଆଜି ଯାଏ ବି ଜାଣି ପାରି ନଥିଲା ସ୍ନେହା ର ଉଦାସୀନତା ର କାରଣ । ଖାଲି ରାତିରେ ପାଖରେ ଶୋଇଲେ କେହି କାହାର ସ୍ବାମୀ କି ସ୍ତ୍ରୀ ହେଇଯାଆନ୍ତିନି । ସ୍ବାମୀ ସ୍ତ୍ରୀ ଏକ ଏମିତି ସମ୍ପର୍କ ଯାହା କେବଳ ପ୍ରେମରେ ବନ୍ଧା ହୁଏ କିନ୍ତୁ ଏଠି କେବଳ କମ୍ପରମାଇଜ୍ ରେ ସମ୍ପର୍କ ଚାଲିଛି ।

ଛୁଆ ପିଲା ସ୍କୁଲ ଗଲାପରେ ସ୍ନେହା ଏକୁଟିଆ ବୋର୍ ହେଇଯାଉଥିଲା ସେଥିପାଇଁ ତା ସ୍ବାମୀ ଏଇ କିଛି ଦିନ ହବ ଗୋଟେ ଆଣ୍ଡ୍ରୋଏଡ଼୍ ଫୋନ୍ ଟେ ଆଣିଦେଇଥିଲେ । ଲିଜର୍ ଟାଇମ୍ ରେ ସ୍ନେହା ଫେସବୁକ ଆଉ ଇନଷ୍ଟାଗ୍ରାମ୍ ଚଲାଏ । ଦିନେ ଫେସବୁକରେ ଖୋଜୁ ଖୋଜୁ ସଂଗ୍ରାମ ର ପ୍ରୋଫାଇଲ୍ ମିଳିଗଲା । ସ୍ନେହା ଯାହା ଦେଖିଲା ତା ପାଦ ତଳୁ ମାଟି ଖସିଗଲା, ସ୍ନେହା ଭାବିଥିଲା ସଂଗ୍ରାମ ଆଜିଯାଏ ବାହା ହେଇ ନଥିବ କାନ୍ଦି କାନ୍ଦି ଦିନ କାଟୁଥିବ ହେଲେ ଏଠି ତ ସବୁ ଓଲଟା ଘଟିଛି । ସଂଗ୍ରାମ ତା ସ୍ତ୍ରୀ ଆଉ ପୁଅ ସହିତ ବହୁତ ଗୁଡିଏ ଫଟୋ ଛାଡ଼ିଛି ଆଉ ଲେଖିଛି ମୁଁ ମୋ ସ୍ତ୍ରୀ ଆଉ ପୁକ ସହିତ ବହୁତ ଖୁସି ଅଛି । ଏସବୁ କଥା ସ୍ନେହା ର ହଜମ ହେଲାନି ସେ ମେସଞ୍ଜର୍ ରେ ନମ୍ବର ଆଣି କଲ୍ କଲା ଆଉ ସଂଗ୍ରାମ ସହିତ କଥା ହେଲା ।

ସଂଗ୍ରାମ ସ୍ନେହା କୁ କହିଲା ହଁ ସତରେ ମୁଁ ବହୁତ ଖୁସି ଅଛି ମୋ ସ୍ତ୍ରୀ ତୁମ ଠୁ ବି ସୁନ୍ଦର ଆଉ ସେ ମତେ ବହୁତ ଭଲ ପାଉଛି ମୁଁ ଯେବେ ଯାଏ ଆସି ନଥାଏ ସେ ମତେ ଅପେକ୍ଷା କରି ରହିଥାଏ ଆସିଲେ ମିଶିକି ଖାଉ ଆଉ ପ୍ରତ୍ୟେକ ହଲିଡେ ରେ ସିନେମା ଯାଉ ଆଉ ମୋ ପୁଅ ତ ବହୁତ ଟ୍ୟଲେଣ୍ଟେଡ୍ । ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ସେଥିପାଇଁ ବୋଧେ ଆମକୁ ଆଗକୁ ଯିବାକୁ ଦେଲେନି ।

ସ୍ନେହା ପ୍ଲିଜ୍ ଗୋଟେ କଥା ରଖିବ ସ୍ନେହା କହିଲା ହଁ ତୁମର ସବୁ କଥା ରଖିବି କଣ କୁହ । ସଂଗ୍ରାମ କହିଲା ଆମର ଆଗରୁ ସଂପର୍କ ଥିଲାବୋଲି କାହାକୁ କହିବନି ପ୍ଲିଜ୍ କାରଣ ଯଦି କେବେ ମୋ ସ୍ତ୍ରୀ ଶୁଣେ ମୋର ଆଗରୁ କାହା ସହିତ ସମ୍ପର୍କ ଥିଲା ସେ ସହି ପାରିବନି ସେ ଭାରି ସୁକ୍ଷ୍ମ ସେ ବହୁତ କାନ୍ଦିବ ଆଉ ସେ କାନ୍ଦିଲେ ମୁଁ କେବେ ସହି ପାରିବିନି । ମୁଁ ତାକୁ ମୋ ଜୀବନଠୁ ବି ଅଧିକ ଭଲପାଏ । ଆଉ ଗୋଟେ କଥା ତୁମେ ଆଉ ମତେ କଲ୍ କରିବନି ମୁଁ ମୋ ସ୍ତ୍ରୀ କୁ ଧୋକା ଦବାକୁ ଚାହୁଁନି ।

ସ୍ନେହା ଫୋନ୍ କାଟିଦେଇ ବହୁତ୍ କାନ୍ଦିଲା, ସେ ଲୁହ ବିଗତ ଦିନର କିଛି ସ୍ମୃତିକୁ ସ୍ମରଣ କରି ନୁହେଁ । ସେ ଲୁହ ଥିଲା ପତ୍ସାତାପ୍ ର ଲୁହ ଯାହା ସେ ଏଗାର ବର୍ଷ ହବ ତା ସ୍ବାମୀ ସହିତ କରି ଆସିଛି ।

ପରଦିନ ସକାଳେ ଉଠି ଆରମ୍ଭ କଲା ଗୋଟେ ନୂଆ ଜୀବନ, ସକାଳୁ ଉଠି ଠାକୁର ପୂଜା କରି ଜଳଖିଆ ତିଆରି କଲା ବେଳକୁ ମନେପଡିଲା ଆଜି ତ ରବିବାର ଛୁଆଙ୍କ ସହିତ ୟାଙ୍କର ବି ଛୁଟି । ଜଳଖିଆ ଦେଲାପରେ ସ୍ବାମୀ କୁ ଲାଗି ବସିଲା ଆଉ କାନ୍ଧରେ ହାତ ପକେଇ କହିଲା “ହେଇଟି ଶୁଣୁଛ ଆଜି ପରା ରବିବାର ଚାଲୁନ କୁଆଡ଼େ ଯିବା ଛୁଆଙ୍କୁ ନେଇ ବୁଲିବାକୁ” ଏମିତି ବ୍ୟବହାର ପାଇଁ ସ୍ବାମୀ ତାର ଦୀର୍ଘ ଏଗାର ବର୍ଷ ହବ ଅପେକ୍ଷା କରିଛି ଆଜି ହଠାତ ଏପରି ସ୍ନେହା ର ସ୍ନେହ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ ତା ସ୍ବାମୀ । ସ୍ନେହା କୁ ବି ଲାଜ ଲାଗୁଥିଲା ତଥାପି ଲାଜରେ ସ୍ନେହା ମୁହଁ କୁ ତଳକୁ କରି ତା ସ୍ବାମୀଙ୍କ ମୁଣ୍ଡକୁ ଟାଣିଆଣି କେଜାଣେ କେତେ ଗେଲ କରିଦେଲା………..

LEAVE A REPLY

Please enter your comment!
Please enter your name here